ବାଲେଶ୍ୱର: ମଙ୍ଗଳବାର ଭୋର ସମୟରେ ସହଦେଵଖୁଣ୍ଟା ପୋଲିସ 1କେଜି 655 ଗ୍ରାମର ବ୍ରାଉନ ସୁଗାର ସହ ଏକ କାର ଓ 4 ଜଣ ଅଭିଯୁକ୍ତଙ୍କୁ ଧରିଛି । ଏନେଇ ବାଲେଶ୍ୱର ଏସପି ବି ଯୁଗଳ କିଶୋର କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ଘଟଣା ସମ୍ପର୍କରେ ସୁଚନା ଦେଇଛନ୍ତି ।
ଗିରଫ ଅଭିଯୁକ୍ତମାନେ ଶେଖ ମକସଦ, ଶେଖ ରାଜୁ, ଶେଖ ଆବୁସାନ, ଶେଖ ଜାମସେଦ ଅଲ୍ଲୀ ହୋଇଥିବା ବେଳ ଏମାନେ ଦିନରେ ମାଛ ବ୍ୟବସାୟ କରୁଥିବା ସହ ରାତିରେ ବ୍ରାଉନ ସୁଗାର ବେପାର କରନ୍ତି ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଅଭିଯୁକ୍ତମାନେ ବାଂଲାଦେଶ, ପଶ୍ଚିମବଙ୍ଗ ଆଦି ସ୍ଥାନରୁ ବ୍ରାଉନ ସୁଗାର ଆଣି ଓଡ଼ିଶାରେ ବେପାର କରୁଥିଲେ ।
ବାଲେଶ୍ୱରରୁ ଜଳେଶ୍ୱରକୁ ଏକ କାର ଯୋଗେ ବ୍ରାଉନ ସୁଗାର ନେଇ ଯାଉଥିବା ବେଳେ ବେପାରୀଙ୍କୁ ସହଦେଵଖୁଣ୍ଟା ଥାନା ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକ ଏକ ଟିମ ଗଠନ କରି ଫୁଲାଡି ଛକ ଦହପଡ଼ା ଠାରେ କାବୁ କରିଛନ୍ତି । ବେପାରରେ ବ୍ୟବହୃତ କାର, 5ଟି ମୋବାଇଲ ଓ 65 ହଜାର ଟଙ୍କା ପୋଲିସ ଜବତ କରିଛି ।
ବେପାର ପଛରେ ଆଉ କିଏକିଏ ଅଛନ୍ତି ସେ ବିଷୟରେ ପୋଲିସ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚୁରା କରିବ ବୋଲି ଏସପି ବି ଯୁଗଳ କିଶୋର କୁମାର ସୂଚନା ଦେଇଛନ୍ତି । ତେବେ ମାଛ ଭିତରେ ବ୍ରାଉନ ସୁଗାର ବେପାର ଚାଲିଥିବା ପୋଲିସ ସନ୍ଦେହ କରୁଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ