ବାଲେଶ୍ବର: ବାଲେଶ୍ଵର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧୫୫ କୋଟି ଟଙ୍କା ଅର୍ଥ ମଞ୍ଜୁର କେବଳ ଧୂଆଁ ବାଣ । ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏଭଳି ମନ୍ତବ୍ୟ ଦେଇଛି ବିଜେପି । ଏହାସହ କେନ୍ଦ୍ର ସରକାରଙ୍କ ଯୋଜନାକୁ ମୁଖ୍ୟମନ୍ତ୍ରୀ ନିଜର କହୁଥିବା ଅଭିଯୋଗ ଆଣିଛି ଦଳ ।
ବାଲେଶ୍ଵରବାସୀଙ୍କର ଦାୟିତ୍ଵ ଖୋଦ ମୁଖ୍ୟମନ୍ତ୍ରୀ ନେବା ପରେ ପରେ ବାଲେଶ୍ବରର ଆଇନ ଶୃଙ୍ଖଳା ଭୟଙ୍କର ଭାବେ ଭୁଶୁଡି ପଡିଛି । ପରିସ୍ଥିତି ଏମିତି ହେଉଛି ଅପରାଧୀମାନେ ପୋଲିସ ଥାନା ଭିତରେ ଏବଂ ପୋଲିସର ଉପସ୍ଥିତିରେ ଆକ୍ରମଣ କରୁଛନ୍ତି । ବାରମ୍ବାର ସହରରେ ଗୁଳି ଫୁଟିବା ଫଳରେ ସହର ସମ୍ପୂର୍ଣ୍ଣ ଅଶାନ୍ତ ରହୁଛି । ଜିଲ୍ଲାରେ କୃଷି, ଶିକ୍ଷା, ସ୍ବାସ୍ଥ୍ୟ ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବାବେଳେ ବ୍ରାଉନ ସୁଗାର, ବେଆଇନ ମଦ କାରବାର, ମହିଳାଙ୍କୁ ଦୁଷ୍କର୍ମ ଭଳି ଘଟଣା ଦିନକୁ ଦିନ ବେକାବୁ ହେଉଥିବା ବିଜେପି ଅଭିଯୋଗ କରିଛି ।
ଏହାସହ ସାଢେ ସାତ କୋଟି ଟଙ୍କାର ସିଟି ବସ ଏବେ ଖତ ଖାଉଛି । ସେହିଭଳି ରିଂ ରୋଡ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନିଜେ ଉଦଘାଟନ କରିଥିଲେ ଏବଂ ତାହା ତିନି ବର୍ଷରେ ସମ୍ପୂର୍ଣ୍ଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ସେ ପ୍ରତିଶ୍ରୁତି ଆଜି ପ୍ରତିଶ୍ରୁତିରେ ହିଁ ରହିଯାଇଛି ବୋଲି ବିଜେପି ଅଭିଯୋଗ ଆଣିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ