ବାଲେଶ୍ବର: ଆସନ୍ତା ୨୨ ତାରିଖରେ ବାଲେଶ୍ଵର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବ ଭିକେ ପାଣ୍ଡିଆନ୍ । ସେ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ମାତ୍ର ତାଙ୍କ ଗସ୍ତ ପୂର୍ବରୁ ବାଲେଶ୍ଵର ବିଜେପି ରାଜ୍ୟରେ ଶାସନ ପ୍ରକ୍ରିୟାକୁ ନେଇ ଉଠାଇଛି ପ୍ରଶ୍ନ । ଏନେଇ ବିଜେପି କାର୍ଯ୍ୟାଳୟରେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପାଣ୍ଡିଆନଙ୍କ ଗସ୍ତକୁ ତୀବ୍ର ବିରୋଧ କରିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, "ଓଡ଼ିଶାରେ ବର୍ତ୍ତମାନ ଗଣତନ୍ତ୍ର ବିପନ୍ନ ହୋଇଛି । ନବୀନ ସରକାର ଗଣତନ୍ତ୍ରର ହତ୍ୟାକାରୀ ଭାବେ ଇତିହାସରେ ସ୍ଥାନ ପାଇବେ । ଏବେ ବାଲେଶ୍ବରର ଜଣେ ସଚିବଙ୍କ ଗସ୍ତ ପାଇଁ ମନ୍ତ୍ରୀମାନେ ୧୫ ଦିନ ହେଲା ବାଲେଶ୍ଵରରେ ଆସି ରହିଛନ୍ତି । ବିଜେଡି ଦଳର ଏହି ବିଧାୟକ, ସାଂସଦ ଓ ମନ୍ତ୍ରୀ ମାନଙ୍କର ଅସହାୟ ଅବସ୍ଥା ସ୍ପଷ୍ଟ ବାରି ହେଉଛି । ବିଜେଡିର ସୁପ୍ରିମୋ କଣ ପାଣ୍ଡିଆନ ହୋଇଗଲେ କି ? ଯଦି ରାଜନୀତିକୁ ଆସିବାର ଅଛି ତେବେ ସେ ଚାକିରି ଛାଡି ରାଜନୀତିକୁ ଓହ୍ଲାଇବାରେ କିଛି ଅସୁବିଧା ନାହିଁ । ମାତ୍ର ଏମିତି ସରକାରୀ ଖର୍ଚ୍ଚରେ ହେଲିକପ୍ଟର ଖର୍ଚ୍ଚ ପାଇଁ କିଏ କରିବେ ? ଜଣେ ବିଧାୟକଙ୍କର ସ୍ତର ମୁଖ୍ୟ ଶାସନ ସଚିବଙ୍କ ଉପରେ । ମାତ୍ର ଜଣେ ବ୍ୟକ୍ତିଗତ ସଚିବଙ୍କୁ 5T ସଚିବ ଭାବରେ ପରିଚିତ କରାଇବା ପଛରେ କେଉଁ ଯୁକ୍ତି ଅଛି ? ତାଙ୍କର ସ୍ତର କଣ ? 5T ବିଭାଗର ମନ୍ତ୍ରୀ କିଏ ନବୀନ ବାବୁ କହିବେ କି ? ଲୋକମାନଙ୍କ ଦ୍ବାରା ନିର୍ବାଚିତ ପ୍ରତିନିଧି ମାନଙ୍କୁ ଏପରି ଅପମାନିତ କରିବାକୁ ଅଧିକାର ନବୀନ ବାବୁଙ୍କୁ କିଏ ଦେଲା ?"
ସେ ଆହୁରି କହିଛନ୍ତି, "ବିଜେଡିର ବିଧାୟକ ଓ ମନ୍ତ୍ରୀମାନେ Book Circular 47ରେ ସେମାନଙ୍କର ଷ୍ଟାଟସ୍ ବିଷୟରେ ସଚେତନ ହେବା ଉଚିତ । ଜଣେ ବିଧାୟକ ପହଞ୍ଚିଲେ ଜଣେ ଶାସନ ସଚିବ ମଧ୍ୟ ଛିଡ଼ା ହୋଇ ନମସ୍କାର କରି ଆସନ ପ୍ରଦାନ କରିବେ ଓ ତାପରେ ନିଜେ ଆସନ ଗ୍ରହଣ କରିବାର ବିଧି ଅଛି । ମାତ୍ର ବର୍ତ୍ତମାନ ସେମାନେ ଏହି ସଚିବଙ୍କ ପାର୍ଶ୍ବରେ ଦଣ୍ଡାୟମାନ ହୋଇ ତାଙ୍କୁ ଆସନରେ ବସାଇ ଗୌରବାନ୍ଵିତ ଅନୁଭବ କରୁଛନ୍ତି । ସମ୍ବିଧାନର ୭୩ ତମ ସଂଶୋଧନ ଦ୍ବାରା ପଞ୍ଚାୟତରାଜ ସଂସ୍ଥାକୁ ଯେଉଁସବୁ ଅଧିକାର ଦିଆଯାଇଥିଲା, ତାକୁ ନବୀନ ପଟ୍ଟନାୟକ ଅପହରଣ କରିନେଲେ । ତାଙ୍କର ଦକ୍ଷିଣୀ ପରାମର୍ଶଦାତାଙ୍କ ପ୍ରେରଣାରେ ଗ୍ରାମସଭା ଓ ପଲ୍ଲୀସଭାକୁ ସମାପ୍ତ କରିଦେଲେ । ସରପଞ୍ଚ ଓ ସମିତିସଭ୍ୟଙ୍କ ଅଧିକାର ସମାପ୍ତ ହେଲା । ବିଜେଡିର କର୍ମୀ ଓ ଅଫିସରଙ୍କ ପ୍ରସ୍ତାବ କ୍ରମେ ପ୍ରକଳ୍ପ ମଞ୍ଜୁରୀ ଓ ବିଭାଗୀୟ ଅଧିକାରୀମାନଙ୍କ ଦ୍ବାରା କାମ କରାଯାଇ ହଜାର ହଜାର କୋଟି ଟଙ୍କା ଆତ୍ମସାତ କରାଯାଉଛି । ବିନା ବଜେଟ ମଞ୍ଜୁରୀରେ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ ଏହି ବାବୁ ଜଣକ ମଞ୍ଜୁର କରୁଛନ୍ତି ଓ ଦକ୍ଷିଣୀ କଣ୍ଟ୍ରାକ୍ଟର ମାନେ କାମ ଅନ୍ୟାୟ ଉପାୟରେ ପାଇ ହରିଲୁଟ କରୁଛନ୍ତି ।" ଏଥିପାଇଁ ନେତା ମନ୍ତ୍ରୀମାନେ ସଚେତନ ହୁଅନ୍ତୁ, ନିଜେ ଏତେ ଅପମାନିତ ହୁଅନ୍ତୁ ନାହିଁ ଓ ସେମାନଙ୍କ ଭୋଟର ମାନଙ୍କୁ ଅପମାନିତ କରନ୍ତୁ ନାହିଁ ବୋଲି ପ୍ରତାପ କହିଛନ୍ତି । ଏମିତି କାର୍ଯ୍ୟକଳାପ ସମ୍ବିଧାନର ଅପମାନ ବୋଲି କହିବା ସହ ସତ୍ୟର କଣ୍ଠରୋଧ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଏଥିପାଇଁ ବେଳହୁଁ ସାବଧାନ ହୋଇ ଗଣତନ୍ତ୍ର ବଞ୍ଚାଇବା ପାଇଁ ଆହ୍ବାନ ଦେଇଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ ।
ଇଟିଭି ଭାରତ, ବାଲେଶ୍ବର