ବାଲେଶ୍ବର: କୁହନ୍ତି ଘରକୁ ଝିଅ ଆସିଲେ ସ୍ବୟଂ ଲକ୍ଷ୍ମୀ ଆସନ୍ତି । ଆଉ ହସ ଖୁସିରେ ଘର ପୁରି ଉଠେ । ହେଲେ ଏଠି ଭାଗ୍ୟକୁ ନିନ୍ଦିବା ଛଡା ଅନ୍ୟ କିଛି ରାସ୍ତା ନାହିଁ । ଘରେ ଦୁଇ ଦୁଇଟି ଝିଅ । ହସଖୁସିରେ ଘର ପୁରି ଉଠିବା ପରିବର୍ତ୍ତେ ଲୁହ ପୋଛି ପୋଛି ଦିନ ସରୁଛି । ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ପାଣିସାଉଁଳି ଗ୍ରାମର ଲକ୍ଷ୍ମୀଧର ବେହେରା । ପ୍ରଥମ ଝିଅକୁ ଯେତେବେଳେ 5 ବର୍ଷ ହେଲା ସେତେବେଳେ ଝିଅଟି ଆଉ ଚାଲିବୁଲି ପାରିଲାନି। ଧାର କରଜ କରି ଡାକ୍ତରଙ୍କୁ ଦେଖାଇଥିଲେ ମଧ୍ୟ ସୁଫଳ ମିଳିଲାନି । ବର୍ତ୍ତମାନ ଝିଅକୁ 8 ବର୍ଷ ହୋଇଥିବା ବେଳେ ଝିଅଟି ସମ୍ପୂର୍ଣ୍ଣ ଭାବେ ଦିବ୍ୟାଙ୍ଗ ପାଲଟି ଯାଇଛି। ଆଉ ଦିବ୍ୟାଙ୍ଗ ଝିଅର ସେବାରେ ଲାଗି ପଡନ୍ତି ମା ଓ ଜେଜେ ମା ’ ।
ସେହିପରି ଲକ୍ଷ୍ମୀଧରଙ୍କ ସାନ ଝିଅର ମଧ୍ୟ ସମାନ ଅବସ୍ଥା । ସାନ ଝିଅକୁ ବର୍ତ୍ତମାନ 4 ବର୍ଷ ହୋଇଥିବା ବେଳେ ସେ ମଧ୍ୟ ଉଠି ବସି ପାରିବାରେ ଅକ୍ଷମ। ସେପଟେ ଘର ଚଳାଇବାକୁ ବିଦେଶର ଏକ ହୋଟେଲରେ ରହି କାମ କରୁଥିବା ଲକ୍ଷ୍ମୀଧରଙ୍କ ପାଇଁ ଘର ଚଲାଇବା ମୁସ୍କିଲ ହୋଇପଡିଛି ।
(ଭିଓ-2)ଏ ସବୁ ଦୁଃଖ ଯେମିତି ହସଖୁସି ପରିବାରରେ ଗ୍ରହଣ ଲଗାଇ ଦେଇଛି । ସେପଟେ ସରକାରୀ ସହାୟତା ମଧ୍ୟ ପରିବାର ପାଇଁ ସାତ ସପନ ପାଲଟିଛି । ଏପରିକି ଦିବ୍ୟାଙ୍ଗ ପ୍ରମାଣପତ୍ର କେମିତି ମିଳେ ସେ ବିଷୟରେ ମଧ୍ୟ ପରିବାର ଲୋକେ ଅଜ୍ଞ। ଏଭଳି ପରିସ୍ଥିତିରେ ଅସ୍ତ୍ରୋପଚାର କରାଗଲେ ଦୁଇ ଝିଅଙ୍କର କିଛିଟା ପରିବର୍ତ୍ତନ ଆସିପାରେ ବୋଲି ଡାକ୍ତର କହିଛନ୍ତି। ହେଲେ ଗରିବ ପରିବାର ପାଖରେ ଅସ୍ତ୍ରୋପଚାର ପାଇଁ ଅର୍ଥବଳ ନାହିଁ । ଭଲ ଘର ଖଣ୍ଡେ ନଥିବା ବେଳେ ଝିଅର ଚିକିତ୍ସା ପାଇଁ ସରପଞ୍ଚକୁ ଅଭିଯୋଗ କରିଛନ୍ତି ପରିବାର ଲୋକେ । ଅନ୍ୟପଟେ ଖୁବ ଶୀଘ୍ର ଲକ୍ଷ୍ମୀଧରଙ୍କ ବଡ଼ ଝିଅଙ୍କୁ ଭତ୍ତା ଯୋଗାଇ ଦିଆଯିବା ସହ ସରକାରୀ ସହାୟତା ପ୍ରଦାନ କରାଯିବା ନେଇ ସରପଞ୍ଚ ପ୍ରତିଶ୍ରୁତି ଦେଇଛନ୍ତି।
ତେବେ ଏ ଦୁଃଖୀ ପରିବାର ପାଇଁ କେବେ ଜନ ପ୍ରତିନିଧି ସହାୟତା ଯୋଗାଇ ଦେଉଛନ୍ତି ତାହା ହିଁ କେବଳ ଦେଖିବାକୁ ବାକି ରହିଲା।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ