ବାଲେଶ୍ବର: ନ୍ୟାୟ ପାଇଁ ୩ ବର୍ଷ ଧରି ନୟାନ୍ତ ହେଲେଣି ଇଞ୍ଜିନିୟର ରଞ୍ଜିତା ଦାସ। ବାହାଘରର ମାତ୍ର ଏକ ମାସ ପରେ ତାଙ୍କ ସ୍ବାମୀ ଯୌତୁକ ଜନିତ ନିର୍ଯ୍ୟାତନା ଦେଉଥିଲେ। ଫଳରେ ରଞ୍ଜିତା ସହଦେବଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ମାତ୍ର ଅଭିଯୋଗ ଗ୍ରହଣ କରିବା ପରେ ପୋଲିସ ତଦନ୍ତ କରୁନଥିବା ରଞ୍ଜିତା ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ ବାଲେଶ୍ବର ସହର ଜେଲ ରୋଡ୍ ସ୍ଥିତ ରହୁଥିବା ବିକ୍ରମାନନ୍ଦ ମହାନ୍ତିଙ୍କୁ ୨୦୧୫ ମସିହା ମେ ମାସ ୫ ତାରିଖରେ ରଞ୍ଜିତା ଦାସ ବୈଦିକ ରୀତିନୀତିରେ ବିବାହ କରିଥିଲେ। ସ୍ବାମୀଙ୍କ ଦାବି ଅନୁସାରେ ଯୌତୁକ ମଧ୍ୟ ଦେଇଥିଲେ ମାତ୍ର ଅଧିକ କିଛି ଦେଇପାରିନଥିଲେ। ତେବେ ବାହାଘରର ଏକ ମାସ ବିତିବା ପରେ ଗାଡି ଓ ଜାଗା ଯୌତୁକ ରୂପେ ଆଣିବା ପାଇଁ ରଞ୍ଜିତାଙ୍କୁ ବାଧ୍ୟ କରାଯାଇଥିଲା। ଏମିତିକି ବିକ୍ରମାନନ୍ଦ ରଞ୍ଜିତାଙ୍କୁ ଘରୁ ବାହାର କରିଦେଇଥିଲେ। ସ୍ବାମୀଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ୨୦୧୮ ମସିହା ଅକ୍ଟୋବର ମାସରେ ପ୍ରଥମେ ସହଦେବଖୁଣ୍ଟା ଥାନାରେ ରଞ୍ଜିତା ଲିଖିତ ଅଭିଯୋଗ କରିଥିଲେ।
ଏବେ ରଞ୍ଜିତା ଜଳେଶ୍ବରସ୍ଥିତ ବାପ ଘରେ ରହୁଛନ୍ତି। ଛାଡପତ୍ର ହୋଇନଥିଲେ ସୁଦ୍ଧା ରଞ୍ଜିତାଙ୍କ ସ୍ବାମୀ ଦ୍ବିତୀୟ ବିବାହ କରିବାର ପ୍ରମାଣ, ରଞ୍ଜିତା ଥାନାରେ ଦେଇଥିଲେ ମଧ୍ୟ ଥାନା ବାବୁ କିଛି ଶୁଣିନଥିବା ଅଭିଯୋଗ ହୋଇଛି। ଏସପି, ଆଇଜି, ଜିଲ୍ଲାପାଳ, ସହଦେବଖୁଣ୍ଟା ଥାନାକୁ ଯାଇ ନ୍ୟାୟ ମାଗିଥିଲେ ସୁଦ୍ଧା ରଞ୍ଜିତାଙ୍କୁ ଆଜିଯାଏଁ ନ୍ୟାୟ ମିଳିପାରିନାହିଁ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ