ବାଲେଶ୍ବର: ଇଚ୍ଛାଶକ୍ତି ଓ ମନୋବଳ ଆଗରେ ସବୁ ବାଧା ପ୍ରତିବନ୍ଧକ ହାର ମାନିଥାଏ । ମନରେ ଯଦି ଦୃଢ ଇଚ୍ଛାଶକ୍ତି ଅଛି ତେବେ ସଫଳତା ଦିନେ ନା ଦିନେ ପାଦ ସ୍ପର୍ଶ କରିବ ଏହା ନିଃସନ୍ଦେହ । ଏପରି ଉକ୍ତିକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ ମହିଳା । ଶାଶୁ ଘରର ବୋହୂ ହେବା ପରେ ମଧ୍ୟ ଘରର ଚାରିକାନ୍ଥକୁ ଭାଙ୍ଗି ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟମାନଙ୍କୁ ଦେଇଛନ୍ତି ଆତ୍ମନିର୍ଭରର ସୁଯୋଗ । ଆମେ କହୁଛୁ ବାଲେଶ୍ବର ଜିଲ୍ଲା ରୁପସା କଷିପଦା ଅଞ୍ଚଳର ଭବାନୀ ବେହେରାଙ୍କ କଥା । ନିଜେ ଏକଦା ସିଲେଇ ଶିଖିବା ପାଇଁ ସଙ୍ଘର୍ଷ କରିଥିବା ଭବାନୀ ଏବେ ଅନ୍ୟମାନଙ୍କୁ ମାଗଣାରେ ଶିଖାଉଛନ୍ତି ସିଲେଇ ।
ପ୍ରାୟ 4 ବର୍ଷ ତଳେ ସିଲେଇ ଶିଖିବାକୁ ମନବଳାଇଥିଲେ ଭବାନୀ । ହେଲେ କୌଣସି ଟ୍ରେନର ତାଙ୍କୁ ଶିଖାଇବାର ସୁଯୋଗ ଦେଇନଥିଲେ । ପରବର୍ତ୍ତୀ ସମୟରେ ଭବାନୀ ନିଜେ ଏକ ବ୍ଲାଉଜ କପଡା ଖୋଲି ପୁଣି ଥରେ ତାହା ସିଲେଇ କରିବା ପରେ ସିଲେଇ କିପରି ହୁଏ ଜାଣିପାରି ଥିଲେ । ଏହି ବ୍ଲାଉଜ ସିଲେଇ କରିବା ପାଇଁ ତାଙ୍କୁ ପ୍ରାୟ 4 ଦିନ ସମୟ ଲାଗିଥିଲା ସତ କିନ୍ତୁ ଅନ୍ୟ କୌଣସି ଟ୍ରେନର ସହଯୋଗ ଆଉ ଲୋଡିବାକୁ ପଡିନଥିଲା ଭବାନୀଙ୍କୁ । ଯାହା ନିଜ ସହ ଘଟିଥିଲା ତାହାକୁ ଭବାନୀ ଅନ୍ୟମାନଙ୍କ ସହ ନଘଟୁ ବୋଲି ଚିନ୍ତା କରି ମାଗଣାରେ ସିଲେଇ ଶିକ୍ଷା ଦେବା ପାଇଁ ମନସ୍ଥ କଲେ । ପ୍ରଥମେ ସଂଯୁକ୍ତା ସାହୁ ନାମକ ଜଣେ ଝିଅଙ୍କୁ ମାଗଣା ଟ୍ରେନିଂ ଦେଇ ତାଙ୍କୁ ରୋଜଗାର କ୍ଷମ କରାଇଥିଲେ । ଯେଉଁ ମହିଳା ଦିନେ ସିଲେଇ ଶିଖିବା ପାଇଁ ଅନ୍ୟକୁ ଗୁହାରି କରୁଥିଲେ ଆଜି ଜଣେ କୁଶଳୀ ସିଲେଇ ମାଷ୍ଟର ଭାବେ ଅଞ୍ଚଳରେ ବେଶ ପରିଚିତ । ସକାଳ ଠାରୁ ସନ୍ଧ୍ୟା ଯାଏଁ ଭବାନୀଙ୍କ ଘର ଭିତରୁ ଶୁଭୁଥାଏ ମେସିନର ଖଟଖଟ ଶବ୍ଦ । ଆଜି ତାଙ୍କ ପାଖରେ 30 ରୁ 40 ଝିଅ ଓ ମହିଳା ସିଲେଇ ଶିଖିବାକୁ ଆସୁଛନ୍ତି । ଖାଲି ସେତିକି ନୁହେଁ, ଗାଁର କେହି ମହିଳା ସିଲେଇ ଶିଖିବାକୁ ଚାହୁଁଥିଲେ ଭବାନୀ ନିଜେ ତାଙ୍କ ଘରକୁ ଯାଇ ମଧ୍ୟ ଟ୍ରେନିଂ ଦେଉଛନ୍ତି ।
ଭବାନୀଙ୍କ ଘରକୁ ଆସୁଥିବା ଯୁବତୀ ଓ ମହିଳାମାନେ ବିଭିନ୍ନ ପ୍ରକାର ଡ୍ରେସ, ଲେହେଙ୍ଗା, ଶାଢ଼ୀ ଆଦି କାମ ଶିଖିଥିବାରୁ ସେମାନଙ୍କ ପାଖକୁ ଏବେ ଗ୍ରାହକଙ୍କ ସୁଅ ଛୁଟୁଛି । ଏଥିରୁ ଲୋକଙ୍କ ଚାହିଦା ପୂରଣ ହେବା ସହ ଯେଉଁମାନେ ସିଲେଇ କାମ କରୁଛନ୍ତି, ସେମାନେ ନିଜ ଖର୍ଚ୍ଚ ନିଜେ ଉଠାଇପାରୁଛନ୍ତି । ଆଗାମୀ ଦିନରେ ଗାଁର ସମସ୍ତ ମହିଳାଙ୍କୁ ଭବାନୀ ରୋଜଗାରକ୍ଷମ କରାଇବାର ଲକ୍ଷ୍ୟ ରଖିଛନ୍ତି ବୋଲି କହନ୍ତି । ସତରେ ମଣିଷ ଖରାପ ସମୟରେ ହାରି ନ ଯାଇ ମନୋବଳ ସହ ଆଗକୁ ବଢିଲେ ନିଶ୍ଚିତ ସେ ଯେ ଦିନେ ସଫଳ ହେବ, ତାହା ଭବାନୀଙ୍କ କାହାଣୀ ବୟାନ କରୁଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ