ବାଲେଶ୍ବର: ସରୁନି ଦାଦନ ଦୁଃଖ । ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ନିଖୋଜ ଓଡିଆ ଶ୍ରମିକ । ଏଭଳି ଏକ ଅଭିଯୋଗ ଆସିଛି ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଶ୍ରୀଜଙ୍ଗ ଗ୍ରାମରୁ । ଉକ୍ତ ଗ୍ରାମର ମଧୁସୂଦନ ମହାଳିକଙ୍କ ପୁଅ ହରିହର କିଛିଦିନ ତଳେ ରୋଜଗାର ଆଶାରେ କେରଳ ଯାଇଥିଲେ।
ହେଲେ ସେଠାକୁ ଯିବା ପରେ ୧୫ଦିନ କୌଣସି ପ୍ରକାର ଯୋଗାଯୋଗ ହୋଇ ନ ପାରିବାରୁ ପରିବାର ଲୋକେ ଚିନ୍ତାରେ ପଡ଼ି ଖନ୍ତାପଡ଼ା ଥାନାରେ ପୁଅର ନିଖୋଜ ଅଭିଯୋଗ କରିଥିଲେ। ଏହାରି ଭିତରେ ପୋଲିସ ହରିହରଙ୍କୁ ବାନ୍ଧି ମାଡ଼ ମାରୁଥିବା ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଗ୍ରାମର କିଛି ଯୁବକ ଉକ୍ତ ଭିଡ଼ିଓଟିକୁ ହରିହରଙ୍କ ପରିବାର ଲୋକଙ୍କୁ ଦେଖାଇବା ପରେ ମା ପୁଅକୁ ଚିହ୍ନିପାରିଥିଲେ।
ଘରର ଏକମାତ୍ର ପୁଅ ରୋଜଗାର ଆଶାରେ ବାହାର ରାଜ୍ୟକୁ ଯାଇଥିବା ବେଳେ ଏବେ ଏମିତି ଭିଡ଼ିଓ ଦେଖି ପରିବାର ଲୋକେ ଚିନ୍ତାରେ ପଡିଛନ୍ତି। କେଉଁ ପରିସ୍ଥିତିରେ ହରିହରଙ୍କୁ ପୋଲିସ ମାଡ଼ ମାରିଛି, ହରିହର ଏବେ କେଉଁଠି ଅଛନ୍ତି ସେନେଇ ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଛି। ପୁଅକୁ ଉଦ୍ଧାର ପାଇଁ ହରିହରଙ୍କ ବାପା ମା ଖନ୍ତାପଡ଼ା ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ