ବାଲେଶ୍ଵର: ବିଧବା ମହିଳାଙ୍କୁ ଗୃହରକ୍ଷୀଙ୍କ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । ବାଲେଶ୍ଵର ଜିଲ୍ଲା ଖଇରା ଥାନାରେ ଜଣେ କାର୍ଯ୍ୟରତ ଗୃହରକ୍ଷୀଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି । ଉପାୟ ନପାଇ ସମ୍ପୃକ୍ତ ଗୃହରକ୍ଷୀଙ୍କୁ କଟୁରିରେ ଆକ୍ରମଣ କରି ମହିଳା ଥାନାରେ ପହଞ୍ଚିଥିଲେ । ତେବେ ଗୁରୁତର ହୋଇ ଗୃହରକ୍ଷୀ ଫେରାର ହୋଇଯାଇଛନ୍ତି ।
ଅଭିଯୋଗ ଅନୁସାରେ ଖଇରା ଥାନା କଇଥଗଡ଼ିଆ ଅଞ୍ଚଳର ଜନୈକା ବିଧବା ମହିଳା ଘରେ ଏକୁଟିଆ ଥିବାବେଳେ ଖଇରା ଥାନାରେ କାର୍ଯ୍ୟରତ ଗୃହରକ୍ଷୀ ପୂର୍ଣ୍ଣଚନ୍ଦ୍ର ଦାସ ତାଙ୍କ ଘରକୁ ଯାଇ ଜୋରଜବରଦସ୍ତ ଦୁଷ୍କର୍ମ ଉଦ୍ୟମ କରିଥିଲେ । କୌଣସି ଉପାୟ ନପାଇ ବିଧବା ମହିଳା ଜଣଙ୍କ ଏକ କଟୁରିରେ ପୂର୍ଣ୍ଣଚନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ । ଏଥିରେ ପୂର୍ଣ୍ଣଚନ୍ଦ୍ର ଗୁରୁତର ହୋଇଯାଇଥିଲେ ।
ସେହିଠାରେ ପୂର୍ଣ୍ଣଚନ୍ଦ୍ର ପ୍ୟାଣ୍ଟ, ଟୋପି, ଜୋତା ଓ ନିଜର ବାଇକ ଛାଡି ଦୌଡ଼ି ପଳାଇ ଆସିଥିଲେ । ମହିଳା ଜଣଙ୍କ ଖଇରା ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ତେବେ ପୂର୍ଣ୍ଣଚନ୍ଦ୍ରଙ୍କ ପୁଅ ମଧ୍ୟ ସେହି ବିଧବା ମହିଳାଙ୍କ ନାମରେ ଏକ ପାଲଟା ଅଭିଯୋଗ କରିଥିବା ଜଣାପଡ଼ିଛି । ଅନ୍ୟପଟେ ସେଠାରୁ ପୂର୍ଣ୍ଣଚନ୍ଦ୍ର ଫେରାର ଅଛନ୍ତି । ପୋଲିସ ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି କୁହାଯାଉଛି ।
ଇଟିଭି ଭାରତ, ବାଲେଶ୍ଵର