ବାଲେଶ୍ବର: ମଙ୍ଗଳବାର ଥିଲା ଚତୁର୍ଥ ପର୍ଯ୍ୟାୟ ନାମାଙ୍କନ ଦାଖଲର ଶେଷ ତାରିଖ। ନାମାଙ୍କନ ଦାଖଲର ଶେଷ ଦିନରେ ବାଲେଶ୍ବର ଜିଲ୍ଲାର ଦଳୀୟ ପ୍ରାର୍ଥୀଙ୍କ ସହ ବହୁ ସ୍ବାଧିନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ। ପ୍ରଥମ ଥର ପାଇଁ ତୃଣମୂଳ କଂଗ୍ରେସରୁ ଜଣେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ।
ଶେଷ ଦିନରେ ସଦର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଜୀବନ ପ୍ରଦୀପ ଦାଶ ନିଜ ସମର୍ଥକମାନଙ୍କ ସହ ଆସି ଉପଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ନାମାଙ୍କନ ଦାଖଲ କରିଥିଲେ। ସେହିପରି ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଭାବେ ମଧୂସୁଦନ ଦାସ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।
ଅନ୍ୟପଟେ ଭୋଗରାଇ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ମାନସ ମହାନ୍ତି ଘୋଷଣା ହୋଇଥିଲା। ମାତ୍ର ମାନସଙ୍କ ବିରୋଧରେ ବହୁ କର୍ମୀ ଅସନ୍ତୋଷ ପ୍ରକାଶ କରିବାରୁ ସେ ନିର୍ବାଚନ ଲଢ଼ିବେ ନାହିଁ ଓ ଦଳ ଯାହାକୁ ପ୍ରାର୍ଥୀ ଭାବେ ଘୋଷଣା କରିବ ସେ ତାଙ୍କୁ ସମର୍ଥନ କରିବେ ବୋଲି କହିଥିଲେ । ମାନସଙ୍କ ପରେ ବିଜେପି ଶିଳ୍ପପତି ଅଂଶୁମାନ ମହାନ୍ତିଙ୍କ ନାମ ଘୋଷଣା କରିଥିଲା। ତେବେ ଅଂଶୁମାନ ନିଜ ସମର୍ଥକମାନଙ୍କୁ ନେଇ ନାମାଙ୍କନ ଦାଖଲ କରିଥିଲେ। ସେହିପରି ସିମୁଳିଆ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଅନନ୍ତ ପ୍ରସାଦ ସେଠୀ ନିଜ ସମର୍ଥକମାନଙ୍କୁ ଗ୍ରହଣରେ ଶୋଭାଯାତ୍ରାରେ ଆସି ପିଡିଡିଆରଡିଏଙ୍କ ପାଖରେ ନାମାଙ୍କନ ପତ୍ର ଦାଖଲ କରିଥିଲେ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ