ବାଲେଶ୍ବର: ନାବାଳିକା ଦୁଷ୍କର୍ମକାରୀଙ୍କୁ 10 ବର୍ଷ ଜେଲ । ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ବାଲେଶ୍ବର ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ପୋକ୍ସୋ ଅଦାଲତର ସ୍ବତନ୍ତ୍ର ବିଚାରପତି ଗିରିଜା କୁମାର ମହାପାତ୍ର ଦୋଷୀ ଲୋକନାଥ ଓଝାଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି । ଏହା ସହ ୩୩ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଏହା ଅନାଦେୟ ହେଲେ ଦୋଷୀଙ୍କୁ ଅଧିକ ୧ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ପ୍ରକାଶ ପାଇଛି ।
ସୂଚନା ଥାଉକି, ସୋର ଥାନାରେ ୨୦୧୩ ମସିହା ଫେବୃଆରୀ ୨୭ ତାରିଖରେ ୭୧/୧୩ରେ ଏକ ମାମଲା ରୁଜୁ ହୋଇଥିଲା । ଉକ୍ତ ମାମଲା ଅନୁଯାୟୀ ବାଲେଶ୍ବର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବସନ୍ତପୁର ଗ୍ରାମର ଲୋକନାଥ ଓଝା ନାମକ ଯୁବକ ସୋର ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ ଓ ପରେ ଦୁଷ୍କର୍ମ କରିଥିଲା । ଏହାପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
ବାଲେଶ୍ବର ପୋକ୍ସୋ ଅଦାଲତରେ ଏହି ମାମଲା ବିଚାରାଧୀନ ଥିବା ବେଳେ ବିଚାରପତି ଶ୍ରୀ ମହାପାତ୍ର ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି । ସରକାରୀ ଓକିଲ ପ୍ରଣବ କୁମାର ପଣ୍ଡା ଏହି ମାମଲା ପରିଚାଳନା କରିଥିଲେ ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ