ବାଲେଶ୍ବର: ଆଜି ଖୋଲିଛି ବାହାନଗା ହାଇସ୍କୁଲ । ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମୃତଦେହ ସ୍କୁଲର ଶ୍ରେଣୀ ଗୃହରେ ରଖାଯାଇଥିଲା । ନୂତନ ଶ୍ରେଣୀଗୃହ ନିର୍ମାଣ ପରେ ଆଜି ସ୍କୁଲ ଖୋଲିଛି । ସ୍କୁଲ ଖୋଲିବାର ପ୍ରଥମ ଦିନରେ ସମୁଦାୟ 565 ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ 200 ଜଣ ଛାତ୍ରଛାତ୍ରୀ ସ୍କୁଲ ଆସିଥିବା ଦେଖିବାକୁ ମିଳିଥିଲା ।
ପିଲାମାନଙ୍କ ମନୋବଳ ବଢ଼ାଇବା ଓ ଡର ହଟାଇବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ସ୍କୁଲରେ ପହଞ୍ଚିଥିଲେ । ଯେହେତୁ ସ୍କୁଲରେ ମୃତଦେହ ରଖା ଯାଇଥିଲା ସେଥିପାଇଁ ଏବେବି ପିଲାଙ୍କ ମନରେ ସାମାନ୍ୟ ଭୟ ସଞ୍ଚାର ହୋଇଥିବା ଦେଖିବାକୁ ମିଳିଛି । ପିଲାଙ୍କ ଭୟ ଓ ଅଭିଭାବକ ତଥା ସ୍ଥାନୀୟ ଅଞ୍ଚଳବାସୀଙ୍କ ଦାବି କ୍ରମେ ମୃତଦେହ ରଖା ଯାଇଥିବା ଘର ଭଙ୍ଗା ଯାଇଛି । ସମ୍ପୂର୍ଣ୍ଣ ଭାବେ ନୂଆ ଘର ତିଆରି କରିବା ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଛି । ଏହାରି ଭିତରେ ସ୍କୁଲ ଖୋଲିବା ପରେ ପ୍ରଥମ ଦିନ ଯୋଗୁଁ ପିଲାସଂଖ୍ୟା କମିଥିବା ଜଣାପଡିଛି । ଏନେଇ ଜିଲ୍ଲା ଶିକ୍ଷ ଅଧିକାରୀ କହିଛନ୍ତି, "ଆଜି ପ୍ରଥମ ଦିନ ସ୍କୁଲ ଖୋଲିଥିବାରୁ କମ ସଂଖ୍ୟାରେ ଛାତ୍ରଛାତ୍ରୀ ଆସିଥିବା ଦେଖିବାକୁ ମିଳିଛି । ବାହାନଗା ରେଳ ଧାରଣା ପରବର୍ତ୍ତୀ ପାର୍ଶ୍ବରୁ ଅଧିକାଂଶ ପିଲା ଆସନ୍ତି । ସେମାନେ ଆସି ନଥିବାରୁ ପିଲାଙ୍କ ସଂଖ୍ୟା କମିଛି । ଅନେକ ଅଭିଭାବକ ମଧ୍ୟ ସ୍କୁଲ ଆସି ପଚାରି ବୁଝି ଯାଇଛନ୍ତି । ଆସନ୍ତାକାଲିଠାରୁ ପିଲାଙ୍କ ସଂଖ୍ୟା ବୃଦ୍ଧିି ପାଇବା ଆଶା କରାଯାଉଛି ।
ପ୍ରକାଶ ଥାଉକି, ଗତ ଜୁନ୍ ୨ ତାରିଖରେ ହୋଇଥିବା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମୃତଦେହ ନେଇ ବାହାନଗା ହାଇସ୍କୁଲରେ ରଖା ଯାଇଥିଲା । ଏହାପରେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ଯିବାକୁ ଭୟ କରିଥିଲେ । ବିଦ୍ୟାଳୟ ପରିସରରେ ଥିବା ଶ୍ରେଣୀକକ୍ଷ ଓ ଅଡିଟୋରିଅମରେ ମୃତବ୍ୟକ୍ତିଙ୍କୁ ରଖା ଯାଇଥିଲା । ସେଠାରେ ବିଚ୍ଛିନ୍ନ ହୋଇ ପଡ଼ିଥିବା ମୃତ ବ୍ୟକ୍ତିଙ୍କ ରକ୍ତ ଛିଟା, ରକ୍ତ ଭିଜା ପୋଷାକ ସମସ୍ତଙ୍କ ଆଖି ଆଗରେ ନାଚି ହୋଇଯାଉଥିଲା । ସେଥିପାଇଁ ବିଦ୍ୟାଳୟ ପରିସରରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଥିଲା । ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମନରେ ଥିବା ଭୟ ନକମିବାରୁ ବାହାନଗା ବିଡ଼ିଓଙ୍କ ପରାମର୍ଶ କ୍ରମେ ଅଗ୍ନିଶମ ବାହିନୀଙ୍କ ଦ୍ୱାରା ସାନିଟସାଇଜେସନ କରାଯାଇଥିଲା ।
ସେହି ସମୟରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ମଧ୍ୟ ବିଦ୍ୟାଳୟ ଗୃହକୁ ପରିଦର୍ଶନ କରିଥିଲେ । ବିଦ୍ୟାଳୟ ପରିସରରେ ଭୟର ବାତାବରଣ ସୃଷ୍ଟି ହୋଇଥିବାରୁ ବିଦ୍ୟାଳୟ ପରିଚାଳନା କମିଟି ଉକ୍ତ ଶ୍ରେଣୀ ଗୃହ ଭାଙ୍ଗି ନୂତନ ଗୃହ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଶ୍ରେଣୀ ଗୃହରେ ଥିବା ବେଞ୍ଚ, ଡେକ୍ସରେ ମଧ୍ୟ ରକ୍ତଛିଟା ଲାଗିଥିବା ଦେଖିବାକୁ ମିଳିଥିଲା । ତେଣୁ ସ୍କୁଲ ଖୋଲିବା ପରେ କେମିତି ଶିକ୍ଷାଦାନ କରାଯିବ ସେନେଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଚିନ୍ତା ବଢିଥିଲା । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍କୁଲ ଭାଙ୍ଗିବା ଓ ନୂଆ ଘର ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।
ଇଟିିଭି ଭାରତ, ବାଲେଶ୍ବର