ବାଲେଶ୍ବର: ଉପନିର୍ବାଚନରେ ପ୍ରାର୍ଥୀମାନଙ୍କ ପ୍ରଚାରରେ ବାଲେଶ୍ଵର ଦୁଲୁକୁଛି। ତିନି ପ୍ରମୁଖ ଦଳର ନେତା ଓ ପ୍ରାର୍ଥୀମାନେ ମୈଦାନରେ ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗି ପଡିଛନ୍ତି। ଏହାରି ଭିତରେ ଏବେ ଜଣେ ସ୍ବାଧୀନ ପ୍ରାର୍ଥୀ ବେଶ ଚର୍ଚ୍ଚାର ରହିଛନ୍ତି। ଗୁଡିପଦା ଅଞ୍ଚଳର ବେଣୁଧର ବାରିକ ଉପନିର୍ବାଚନରେ କରିଛନ୍ତି ପ୍ରାର୍ଥପତ୍ର ଦାଖଲ। ନାମାଙ୍କନ କରିବା ପରେ ବେଣୁଧର ନିଜର ଏକ ସାଇକେଲ ଆଗରେ ନିଜ ଚିହ୍ନକୁ ନେଇ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଯାହାକି ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।
ବୟସର ଅପରାହ୍ନରେ ବେଣୁଧର ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି। ସହରରେ ଥିବା ବସ୍ତିବାସିନ୍ଦାଙ୍କ ସମର୍ଥନ ତାଙ୍କ ସହ ରହିଥିବା ସେ କହିଛନ୍ତି। ଜୀବନ ତମାମ ସେ ବସ୍ତିବାସିନ୍ଦାଙ୍କ ହକ ପାଇଁ ଲଢେଇ କରିଥିବା ବେଳେ ଏବେ ନିର୍ବାଚନରେ ଲଢେଇ ପାଇଁ ପ୍ରସ୍ତୁତ ହୋଇଛନ୍ତି। ଅନ୍ୟ ପ୍ରାର୍ଥୀମାନଙ୍କ ତୁଳନାରେ ସବୁଠୁ ବୟସ୍କ ଓ ସବୁଠୁ ଗରିବ ପ୍ରାର୍ଥୀ ହେଉଛନ୍ତି ବେଣୁଧର। 80 ବର୍ଷ ବୟସରେ ବି ସେ ସାଇକେଲ ନେଇ ସହରର ଗଳିକନ୍ଦିରେ ନିଜର ପ୍ରଚାର କରୁଛନ୍ତି। ଲୋକମାନଙ୍କୁ ଖିଅର କରି ପରିବାର ପ୍ରତିପୋଷଣ କରୁଥିବା ବେଣୁଧର ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ନାରା ଦେଇ ପ୍ରଚାର କରୁଛନ୍ତି। ନିର୍ବାଚନ ଲଢ଼ିବା ପାଇଁ ଦେହରେ ବଳ ନାହିଁ କି ଅଣ୍ଟିରେ ମଧ୍ୟ ସମ୍ବଳ ନାହିଁ। ହେଲେ ତାଙ୍କର ଆତ୍ମବିଶ୍ବାସ ଏବେବି ଅତୁଟ ରହିଛି। ବସ୍ତିବାସିନ୍ଦାଙ୍କ ଭଲ ପାଇବାକୁ ପାଥେୟ କରି ସେ ନିର୍ବାଚନ ବୈତରଣୀ ପାରି ହେବେ ବୋଲି ଦୃଢ଼ ବିଶ୍ବାସ ରଖିଛନ୍ତି।
ବସ୍ତିବାସିନ୍ଦାଙ୍କ ପାଇଁ ସରକାର ଅନେକ ଯୋଜନା କରିଥଲେ ମଧ୍ୟ ଜନପ୍ରତିନିଧି ତଥା ପ୍ରଶାସନିକ ଅଧିକାରୀମାନେ ସେମାନଙ୍କ ଦୁଃଖ ବୁଝିବାକୁ କୁଣ୍ଠାବୋଧ ପ୍ରକାଶ କରୁଥିବା ବେଣୁଧର ଅଭିଯୋଗ କରିଛନ୍ତି। ଏବେ ସେ ବସ୍ତିବାସିନ୍ଦା ସଂଘର ସଭାପତି ଥିବା ବେଳେ ତାଙ୍କର ବଳ ସେମାନେ ହିଁ ପାଲଟିଛନ୍ତି। ସତରେ ପରିଣତ ବୟସରେ ମଧ୍ୟ ଲୋକଙ୍କୁ ନ୍ୟାୟ ଓ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ବେଣୁଧର ଯେଉଁ ପ୍ରୟାସ କରୁଛନ୍ତି ତାହା ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ଆଦର୍ଶ।
ସେହିପରି ଉପନିର୍ବାଚନରେ ବେଣୁଧର ବାରିକଙ୍କ ପ୍ରଚାରରରେ ସାମିଲ ହେବେ ଯାତ୍ରା ଜଗତର ଚର୍ଚ୍ଚିତ ଆଇଟମ ଗାର୍ଲ ରାଣୀ ପଣ୍ଡା । ସେ ନିଜେ ଏକ ଭିଡିଓ ମାଧ୍ୟମରେ ଏହା ଜଣାଇଛନ୍ତି । ତେବେ ବେଣୁଧରଙ୍କ ଏ ବୟସରେ ଏମିତି ଆତ୍ମବିଶ୍ବାସକୁ ଦେଖି ରାଣୀ ପଣ୍ଡା ପ୍ରଭାବିତ ହୋଇଥିବା କହିଛନ୍ତି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ