ବାଲେଶ୍ବର: ବ୍ୟାଙ୍କରେ ସୁନା ଦେଲେ ଆଉ ଲୋନ ନେଲେ । କିନ୍ତୁ ସୁନା ସବୁ ନକଲି ଥିବା ଜଣାପଡିବା ପରେ ଏବେ ଲୋନ ନେଇଥିବା 7 ଜଣଙ୍କୁ ଗିରଫ କରିଛି ଟାଉନ ବାଲେଶ୍ବର ପୋଲିସ । ନକଲି ସୁନା ଦେଇ ଋଣ ନେବା ପାଇଁ ପ୍ଲାନ କରିଥିବା ବ୍ୟକ୍ତି ଜଣଙ୍କ ବ୍ୟାଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ଜଣେ ସୁନାରୀ ଅଟନ୍ତି ବୋଲି ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ସିଟି ଡିଏସପି ଗାୟତ୍ରୀ ପ୍ରଧାନ ।
ସୂଚନା ଅନୁଯୟୀ,‘‘ଗତ 2019 ମସିହା ଠାରୁ ପଦ୍ମଲୋଚନ ଏମିତି ବ୍ୟାଙ୍କକୁ ଠକେଇ ଆସୁଥିବା ବେଳେ ଗତ ସପ୍ତାହ ବ୍ୟାଙ୍କର କେନ୍ଦ୍ରୀୟ ଟିମ ବ୍ୟାଙ୍କ ଅଡିଟ ପାଇଁ ଆସିଥିଲେ । ଅଡିଟ ସମୟରେ ସୁନା ସବୁ ନକଲି ବୋଲି ଜଣାପଡିଥିଲା । ଏହାକୁ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ବାଲେଶ୍ଵର ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।
ଅଧିକ ପଢନ୍ତୁ: ନକଲି ସୁନା ଦେଇ ଋଣ ନେଇଥିବା ଅଭିଯୋଗରେ 10 ଗିରଫ
ଡିଏସପି ଗାୟତ୍ରୀ ପ୍ରଧାନ କହିଛନ୍ତି, ‘‘ବାଲେଶ୍ଵର ସେଣ୍ଟ୍ରାଲ ବ୍ୟାଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ବଣିଆ ପଦ୍ମଲୋଚନ ରଣା ଟଙ୍କା ଆବଶ୍ୟକ କରୁଥିବା ଲୋକମାନଙ୍କ ପାଖକୁ ଯାଇ ଗୋଲ୍ଡ ଲୋନ ବିଷୟରେ ବୁଝାଇଥାନ୍ତି । ବ୍ୟାକଙ୍କ ଗୋଲ୍ଡ ଲୋନ ପାଇଁ ବିଭିନ୍ନ ଆକର୍ଷଣୀୟ ସ୍କିମ ରଖୁଥିବା ବେଳେ ଏହାର ଭରପୁର ଫାଇଦା ନେବାପାଇଁ ଅନେକ ସମୟରେ ଗ୍ରାହକଙ୍କୁ ଆକୃଷ୍ଟ କରିଥାନ୍ତି ପଦ୍ମଲୋଚନ। ସେହିପରି ପଦ୍ମଲୋଚନଙ୍କୁ ମଧ୍ୟ ସୁନା ଋଣ ଆବଶ୍ୟକତା କରୁଥିବା ବ୍ୟକ୍ତିମାନଙ୍କୁ ଋଣ ଦେଇ ସୁନା ରଖିବା ପାଇଁ ବ୍ୟାଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଥିଲା । ପଦ୍ମଲୋଚନ ଏହାର ଫାଏଦା ଉଠାଇ 14 ଜଣ ଗ୍ରାହକଙ୍କୁ ଯୋଗାଡ଼ କରି ସେମାନଙ୍କୁ ଅର୍ଥ ପ୍ରଲୋଭନ ଦେଖାଇ ନକଲି ସୁନା ଯୋଗାଡ଼ କରିଥିଲା । ନିଜେ ସୁନା ପରୀକ୍ଷା କରି ତାର ମୂଲ୍ୟ ଧାର୍ଯ୍ୟ କରୁଥିଲେ । ପଦ୍ମନାଭ ଯେତିକି ମୂଲ୍ୟ ଧାର୍ଯ୍ୟ କରୁଥିଲେ ବ୍ୟାଙ୍କ ମ୍ୟାନେଜର ସେତିକି ଋଣ ପ୍ରଦାନ କରୁଥିଲେ । ଏପରି ଭାବେ ପଦ୍ମନାଭ ଗତ 2019ରେ ପ୍ରାୟ 69 ଲକ୍ଷ 68 ହଜାର 507 ଟଙ୍କା ନକଲି ସୁନା ବଦଳରେ ପ୍ରଦାନ କରିଛନ୍ତି । ଏହି ଘଟଣାରେ ପଦ୍ମନାଭଙ୍କ ସମେତ 7ଜଣଙ୍କୁ ଗିରଫ କରାଯାଇଛି । ବାକି 8 ଜଣଙ୍କୁ ଖୋଜିବା ପାଇଁ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।’’ ଏମିତି ନକଲି ସୁନା ଦେଇ ଋଣ ନେବା ଘଟଣାରେ ବୈଶିଙ୍ଗା ଥାନା ଓ ବାଲେଶ୍ଵର ଶିଳ୍ପାଞ୍ଚଳ ଥାନାରେ ତାଙ୍କ ନାମରେ ମାମଲା ରହିଥିବା ଡିଏସପି ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ବାଲେଶ୍ବର