ବାଲେଶ୍ୱର: ମୋବାଇଲ ସ୍କ୍ୱାର୍ଡ ପାଟ୍ରୋଲିଂ ବେଳେ ଜବତ ହେଲା 22ଗ୍ରାମ ହେରୋଇନ । ଜବତ ହେରୋଇନର ଆନୁମାନିକ ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ବାଲେଶ୍ୱରର ଅବକାରୀ ବିଭାଗର ପକ୍ଷରୁ ହୋଇଥିଲା ଏହି ଚଢାଉ ।
ସୂଚନା ମୁତାବକ, ବାଲେଶ୍ୱର ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ଓ ଅବକାରୀ ଅଧିକ୍ଷକ ରାଜେନ୍ଦ୍ର ଭଦ୍ରାଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗର ମୋବାଇଲ ସ୍କ୍ୱାର୍ଡ ବୁଧବାର ସହର ଭିତରେ ପାଟ୍ରୋଲିଂ କରୁଥିଲେ । ସହଦେଵଖୁଣ୍ଟା ଓଭର ବ୍ରିଜ ନିକଟସ୍ଥ ଆନନ୍ଦ ବଜାର ଅଞ୍ଚଳରେ ପାଟ୍ରୋଲିଂ ଚାଲିଥିବା ବେଳେ ଜଣେ ବ୍ୟକ୍ତି ପୋଲିସକୁ ଦେଖି ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲା । ତେବେ ସନ୍ଦେହ ହେବାରୁ ଉକ୍ତ ବ୍ୟକ୍ତି ଜଣଙ୍କୁ କାବୁ କରିଥିଲା ପୋଲିସ । ତାଙ୍କ ନିକଟରୁ 22 ଗ୍ରାମ ହେରୋଇନ ଜବତ କରିଥିଲା ମୋବାଇଲ ଟିମ।
ଗିରଫ ଯୁବକ ଜଣଙ୍କ ବାହାନଗା ବ୍ଲକ କମାରିପୁର ଅଞ୍ଚଳର ବୋଲି ଜଣାପଡିଛି। ସେ ବାଲେଶ୍ଵର ଅଡ଼ର ବଜାରରୁ ହେରୋଇନ କିଣି ନେଉଥିବା ସ୍ୱୀକାର କରିଛି । କିନ୍ତୁ ସେ ବେପାର ନୁହେଁ ବରଂ ନିଜେ ଖାଇବା ପାଇଁ ନେଉଥିବା ପ୍ରକାଶ କରିଛି। ତେବେ ଏନେଇ ତଦନ୍ତ ଜାରି ରହିଛି ବୋଲି ଅବକାରୀ ମୋବାଇଲ ୟୁନିଟ ଆଇଆଇସି ଉଦେଲାଲ ନାୟକ କହିଛନ୍ତି।
ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ