ବାଲେଶ୍ବର ଆଗାମୀ ନିର୍ବାଚନକୁ ସରଗରମ ହୋଇ ହୋଇଉଠିଛି ବାଲେଶ୍ବର ସଂସଦୀୟ କ୍ଷେତ୍ର । ରାଜ୍ୟର ଏକ ସମ୍ମାନଜନକ ଲୋକସଭା ଆସନ ଭାବେ ଜଣାଶୁଣା ଏହି ସଂସଦୀୟ କ୍ଷେତ୍ରରେ ଚଳିତ ଥର ଦେଖିବାକୁ ମିଳିବ ତ୍ରୀକୋଣୀୟ ମୁକାବିଲା । କଂଗ୍ରେସ, ବିଜେଡି ଏବଂ ବିଜେପି ମଧ୍ୟରେ ହେବାକୁ ଯାଉଛି ହାଇଭୋଲଟେଜ ଲଢେଇ । ବାଲେଶ୍ବର ଗଡ ଦଖଲ କରିବା ପାଇଁ ଆଶାବାଦୀ ହୋଇ ଉଠିଛନ୍ତି ସବୁଦଳର ଆଶାୟୀ ।
ନିର୍ବାଚନକୁ ନେଇ ବାଲେଶ୍ବରରେ ବଢ଼ିଲାଣି ରାଜନୈତିକ ଉଷ୍ମତା । ଭୋଟରଙ୍କୁ ବିଭିନ୍ନ ପ୍ରକାରର ନିର୍ବାଚନୀ ଲଲିପପ୍ ଦେଖାଇ ଭୋଟ ହାତେଇବାକୁ ଲାଗି ପଡିଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ । ରୋଡ୍ ସୋ ଠାରୁ ଆରମ୍ଭ କରି ଭୋଟରଙ୍କ ଘର ପର୍ଯ୍ୟନ୍ତ ଚାଲିଛି ନିର୍ବାଚନୀ ପ୍ରଚାର । ଏପରିକି ଡୋର୍ ଟୁ ଡୋର୍ କ୍ୟାମ୍ପେନ ମଧ୍ୟ ଚାଲିଛି । ଏହାକୁ ଛାଡି ଗାଁ ଗାଁରେ ମଧ୍ୟ ଅନୁଷ୍ଠିତ ହେଉଛି ନିର୍ବାଚନୀ ସଭା ।
2019 ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି ତିନି ପ୍ରମୁଖ ଦଳ । ବିଜେଡିରୁ ରବୀନ୍ଦ୍ର ଜେନା, ବିଜେପିରୁ ପ୍ରତାପ ଷଡଙ୍ଗୀ ଏବଂ କଂଗ୍ରେସରୁ ପିସିସି ସଭାପତିଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ଉଭୟ ପ୍ରତାପ ଏବଂ ରବୀନ୍ଦ୍ର ବାଲେଶ୍ବରର ରାଜନୀତି ସହ ଜଡିତ ଥିବାବେଳେ ଏଠାରେ ନବଜ୍ୟୋତି ହେଉଛନ୍ତି ନବାଗତ ।
ଗତ 2014 ଲୋକସଭା ନିର୍ବାଚନରେ ମୁହାଁମୁହିଁ ହୋଇଥିଲେ ବିଜେଡିର ରବୀନ୍ଦ୍ର ଏବଂ ବିଜେପିର ପ୍ରତାପ । ସେତେବେଳେ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିଲେ ଏଠାକାର ପୂର୍ବତନ ସାଂସଦ ତଥା ଯୁପିଏ-2 ସରକାର ଅମଳରେ କେନ୍ଦ୍ରମନ୍ତ୍ରୀ ଥିବା ଶ୍ରୀକାନ୍ତ ଜେନା । ମାତ୍ର 2019 ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବାଏ ବାଏ କହି ସାରିଛନ୍ତି ଶ୍ରୀକାନ୍ତ । ଯାହା ବର୍ତ୍ତମାନ ଦଳ ପାଇଁ ସମସ୍ୟା ସୃଷ୍ଟି କରିଛି।
ପ୍ରାର୍ଥୀ ଚୟନରେ ଭୁଲ ହୋଇଥିବା ଦର୍ଶାଇ ଅନେକ ବରିଷ୍ଠ ନେତା ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ ଅନେକ ଦଳ ମଧ୍ୟ ଛାଡି ସାରିଛନ୍ତି। ଅନ୍ୟପଟେ ଶ୍ରୀକାନ୍ତ କଂଗ୍ରେସରୁ ଯିବା ପରେ ବାଲେଶ୍ବରରେ ଥିବା ତାଙ୍କର ସମର୍ଥକ ନବଜ୍ୟୋତିଙ୍କୁ ସହଜରେ ଗ୍ରହଣ କରି ପାରୁନଥିବା ଦେଖିବାକୁ ମିଳିଛି। ମାତ୍ର ସେ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆପ୍ରାଣ ଚେଷ୍ଟା ଜାରି ରଖିଛନ୍ତି । ଏଥିରେ ତାଙ୍କୁ କିଛିମାତ୍ରାରେ ସଫଳତା ମିଳୁଥିବା ଦେଖିବାକୁ ମିଳୁଛି । ସହରଠାରୁ ଆରମ୍ଭ କରି ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀକୁ ଗସ୍ତ କରି ଲୋକଙ୍କ ସମର୍ଥନ ସାଉଁଟିବା ପାଇଁ ଉଦ୍ୟମ ଚଳାଇଛନ୍ତି ନବଜ୍ୟୋତି । ବର୍ତ୍ତମାନ କଂଗ୍ରେସ ଦଳର ସ୍ଥିତି ସଜାଡ଼ିବା ତାଙ୍କ ପାଇଁ କାଠିକର ପାଠ ହୋଇପଡିଛି ।
ଗତ ନିର୍ବାଚନରେ ସାଂସଦ ପ୍ରାର୍ଥୀ ଭାବେ ବିଜେପିରୁ ପ୍ରତିଦ୍ବନ୍ଦିତା କରିଥିବା ଦଳର ବରିଷ୍ଠ ନେତା ପ୍ରତାପ ଚନ୍ଦ୍ର ଷଡଙ୍ଗୀ ମଧ୍ୟ ଏଥର ନିର୍ବାଚନ ରେସ୍ରେ ସାମିଲ ହୋଇଛନ୍ତି । ଗତ ନିର୍ବାଚନରେ ହୋଇଥିବା କିଛି ତ୍ରୁଟିକୁ ଆଗାମୀ ନିର୍ବାଚନ ପୂର୍ବରୁ ସଜାଡ଼ିବା ସହ ବାଲେଶ୍ବରରେ ଥିବା ସମସ୍ୟାକୁ ନିର୍ବାଚନୀ ପ୍ରସଙ୍ଗ ଭାବେ ଗ୍ରହଣ ଲୋକ ସମର୍ଥନ ହାତେଇବାରେ ଲାଗି ପଡିଛନ୍ତି ପ୍ରତାପ । 2014 ନିର୍ବାଚନ ପରେ ପ୍ରତାପ ବାଲେଶ୍ବର ସହ ଅଳ୍ପ ସଂଯୋଗରେ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାୱାରେ ନିର୍ବାଚନୀ ବୈତରଣୀ ପାରି ହେବାକୁ ଅଣ୍ଟା ଭିଡିଥିବା ଚର୍ଚ୍ଚା ହେଉଛି ।
ଖାଲି ସେତିକି ନୁହେଁ 2014ରେ ନିର୍ବାଚିତ ହୋଇଥିବା ସାଂସଦ ରବୀନ୍ଦ୍ର ଜେନାଙ୍କୁ ମଧ୍ୟ ସେ ଟାର୍ଗେଟ କରି ଚିଟଫଣ୍ଡ ଦୁର୍ନୀତିରେ ସମ୍ପୃକ୍ତି ଥିବା ଥିବା ନେଇ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । ବିଗତ 5 ବର୍ଷ ମଧ୍ୟରେ ବାଲେଶ୍ବରର ବିଜେଡି ସାଂସଦ କ'ଣ କରିଛନ୍ତି ଓ କେଉଁ ପ୍ରକାର ସମସ୍ୟା ସବୁ ରହିଛି ତାର ଏକ ଲମ୍ବା ତାଲିକା ଧରି ପ୍ରତାପ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି । ନିଜ ସପକ୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାର ସୁନେଲି ସ୍ବପ୍ନ ଦେଖାଉଛନ୍ତି ପ୍ରତାପ । 2014 ପରେ ବାଲେଶ୍ବରରେ ତାଙ୍କର ସକ୍ରିୟତା ଦେଖିବାକୁ ମିଳିନଥିବା ବେଳେ ଏବେ କେମିତି ସେ ଭୋଟରଙ୍କୁ ଆକୃଷ୍ଟ କରିବେ ତାହା ତାଙ୍କୁ ହିଁ ଜଣା ।
ଅପରପକ୍ଷେ 2014 ନିର୍ବାଚନରେ ବାଜି ମାରିଥିବା ବିଜେଡି ଦଳର ଜିଲ୍ଲା ସଭାପତି ତଥା ସାଂସଦ ରବୀନ୍ଦ୍ର ଜେନା ବିକାଶକୁ ପ୍ରସଙ୍ଗ ଭାବେ ନେଇ ଲୋକଙ୍କ ପାଖରେ ପହଞ୍ଚୁଥିବାର ଦେଖିବାକୁ ମିଳିଛି । ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀରେ ବିଜେଡି ଟିକେଟ ବଣ୍ଟନକୁ ନେଇ କିଛିମାତ୍ରାରେ ପ୍ରତିବାଦର ସ୍ବର ଉଠିଥିବା ବେଳେ ଜିଲ୍ଲା ସଭାପତି ସେ ସବୁକୁ ସଜାଡ଼ିବାକୁ ପ୍ରୟାସ ଜାରି ରଖିଛନ୍ତି । ବାଲେଶ୍ବରରେ ରିଂରୋଡ୍, ସୁବର୍ଣ୍ଣରେଖା ବନ୍ଦରକୁ ପ୍ରମୁଖ ନିର୍ବାଚନୀ ମୁଦ୍ଦା କରିଥିବା ରବୀନ୍ଦ୍ର ପ୍ରଚାର ମଇଦାନକୁ ଓହ୍ଲାଇ ଲୋକଙ୍କ ଘରେଘରେ ପହଞ୍ଚୁଥିବାର ଦେଖିବାକୁ ମିଳିଛି। ଗୋଟିଏ ପଟେ ରବୀନ୍ଦ୍ର ବାଲେଶ୍ବର ବିକାଶ କଥା କହୁଥିବା ବେଳେ ଅନ୍ୟପଟେ ବିଭିନ୍ନ ନିର୍ବାଚନମଣ୍ଡଳୀରେ ଘର ସଜାଡିବାରେ ଲାଗି ପଡିଛନ୍ତି ରବୀନ୍ଦ୍ର । ବାଲେଶ୍ବରର ବିକାଶ କଥା କହୁଥିବା ନେତା ଆଜି ଆସି ଅନେକ ପ୍ରତିଶ୍ରୁତି ଦେଉଥିବା ବେଳେ ବିଗତ ଦିନରେ ସେମାନେ କେଉଁଠି ଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି ।
ବାଲେଶ୍ବର ଲୋକସଭାରେ ଏଥର ତ୍ରିମୁଖୀ ଲଢେଇ ହେବାକୁ ଥିବା ବେଳେ ବିଭିନ୍ନ ଦଳର ପ୍ରାର୍ଥୀ ପରସ୍ପର, ପରସ୍ପରକୁ ଟାର୍ଗେଟ କରିବା ଆରମ୍ଭ କଲେଣି । ବିଜେଡିକୁ ଚିଟଫଣ୍ଡ ଭୟ ଘାରିଥିବା ବେଳେ ବିଜେପିର 5ବର୍ଷ ଅନୁପସ୍ଥିତି ଓ କଂଗ୍ରେସର ସମ୍ପୂର୍ଣ୍ଣ ନୂଆମୁହଁକୁ ନେଇ ଜିଲ୍ଲା ରାଜନୀତି ଏବେ ଗୋଳିଆ ହୋଇଯାଇଛି । କିଏ ମାରୁଛି ବାଲେଶ୍ବରରୁ ବାଜି ତାହା ମେ 23 ଫଳାଫଳରୁ ଜଣାପଡିବ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ