ବାଲେଶ୍ୱର: ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ 2 ନାବାଳିକା । ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ରସାଳପୁର ଗାଁରେ ଅଭାବନୀୟ ଘଟଣା । ମୃତ ନାବାଳିକା ଦୁହେଁ ଗ୍ରାମର ଭୋଜି ଦାସଙ୍କ ଝିଅ ପୂର୍ଣ୍ଣିମା ଓ ଅନନ୍ତ ଦାସଙ୍କ ଝିଅ ଉର୍ମିଳା ।
ପୂର୍ଣ୍ଣିମା ଓ ଉର୍ମିଳା ଆଜି ମଧ୍ୟାହ୍ନରେ ବୁଢ଼ୀମାଙ୍କ ସହ ଗାଁ ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ସେଠାରେ ପୂର୍ଣ୍ଣିମାର ଗୋଡ଼ ଖସିବାରୁ ସେ ପାଣିରେ ବୁଡି ଯାଇଥିଲା । ତାକୁ ବଞ୍ଚାଇବାକୁ ଯାଇ ଉର୍ମିଳା ମଧ୍ୟ 18 ଫୁଟ ଗଭୀର ପୋଖରୀରେ ବୁଡି ଯାଇଥିଲା । ବୁଢ଼ୀମା ଚିତ୍କାର କରିବାରୁ ଗ୍ରାମବାସୀ ସେଠାରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ବାଲେଶ୍ୱର ଡାକ୍ତରଖାନାକୁ ନେଇଥିଲେ । ହେଲେ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।
ସୂଚନା ଯୋଗ୍ୟ, ଉକ୍ତ ଗ୍ରାମରେ ରାସ୍ତାକାମ ଚାଲିଥିବାରୁ ପାଇପ ଜଳ ଯୋଗାଣ ବନ୍ଦ ରହିଛି । ଏହାକୁ ସଜାଡିବାରେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଅବହେଳା ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି । ଫଳରେ ଆଜି 2ଟି ମୂଲ୍ୟବାନ ଜୀବନ ଚାଲିଯାଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକ ।
ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ