ବଲାଙ୍ଗୀର: ସାଇବର ଅପରାଧ(Cyber Crime) ଏପରି ଏକ ଅଦୃଶ୍ୟ ଜାଲ, ଯାହା ଆଖି ପିଛୁଳାକେ ଲୋକଙ୍କ ଧନକୁ ଲୁଟ କରିଦେଉଛି । ଏହି ଅପରାଧର ମାୟାଜାଲରେ ପଡି ଟଙ୍କା ହରାଉଛନ୍ତି ନିରୀହ ଲୋକେ । ବଲାଙ୍ଗୀରରେ ଏପରି ଏକ ଘଟଣା ସାମନାକୁ ଆସିଛି । କ୍ରେଡିଟ କାର୍ଡ ଅପଡେଟ ନାଁରେ ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗ । ଠକେଇ କରି ବନ୍ଧା ହେଲେ ଜଣେ ଛାତ୍ର ଓ ଜଣେ ପୂର୍ବତନ ବ୍ୟାଙ୍କ କର୍ମଚାରୀ ।
ବଲାଙ୍ଗୀରରେ ସାଇବର ଅପରାଧ ଦିନକୁ ଦିନ ବଢି ଚାଲିଛି । ଅନେକ ଚେଷ୍ଟା ତଥା ସଚେତନାତେ ପରେ ମଧ୍ୟ ସାଇବର ଅପରାଧ ଥମିବାର ନାଁ ଧରୁନାହିଁ । ତେବେ ଜିଲ୍ଲାରେ ସାଇବର କ୍ରାଇମ କରିଥିବା ଅଭିଯୋଗରେ ବନ୍ଧା ହୋଇଛନ୍ତି ଦୁଇ ଅଭିଯୁକ୍ତ । ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଛାତ୍ର ଥିବା ବେଳେ ଆଉ ଜଣେ ପୂର୍ବତନ ବ୍ୟାଙ୍କ କର୍ମଚାରୀ ଥିବା ସୂଚନା ମିଳିଛି । ତେବେ ବିକାଶ ବେହେରା ନାମରେ ଜଣେ ବ୍ୟକ୍ତିଙ୍କର କ୍ରେଡିଟ କାର୍ଡରୁ 3 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠକେଇ ହୋଇଥିବା ବଲାଙ୍ଗୀର ସାଇବର ଥାନାରେ ଅଭିଯୋଗ କରିଥିଲେ । ଯାହା ପରେ ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶ କ୍ରମେ ସାଇବର ଥାନା ଅଧିକାରୀମାନେ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ପରେ ଏହି ଠକେଇରେ ଜଣେ ଛାତ୍ର ଓ ଜଣେ ପୂର୍ବତନ ବ୍ୟାଙ୍କ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ନେଇ ପୋଲିସ ଗିରଫ କରିଥିଲା ।
ଏହା ମଧ୍ୟ ପଢ଼ନ୍ତୁ... ସୁନା ଦୋକାନରେ ଡକାୟତି ଯୋଜନା ପଣ୍ଡ, 6 ଗିରଫ
ଅଭିଯୁକ୍ତ ଦୁହେଁ ହେଲେ ବଲାଙ୍ଗୀର ଶାନ୍ତି ପଡ଼ାର ଅମନ ସାହୁ ଓ ସୋମିତ୍ରୀ ଶତପଥୀ ବୋଲି ପୋଲିସ ଏସଡିପିଓ ତୁଫାନ ବାଗ ସୂଚନା ଦେଇଛନ୍ତି । ସେହିପରି ଗିରଫ ଅମନ ସାହୁ ଜଣେ ଛାତ୍ର ହୋଇଥିବା ବେଳେ ତାଙ୍କ ସହଯୋଗୀ ସୋମିତ୍ରୀ ଶତପଥୀ ଜଣେ ବ୍ୟାଙ୍କ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ । ତେବେ ଅଭିଯୁକ୍ତ ସୋମିତ୍ରୀ ବଲାଙ୍ଗୀର ଆକ୍ସିସ ବ୍ୟାଙ୍କରେ କାମ କରୁଥିବା ବେଳେ ଅଭିଯୋଗକାରୀ ବିକାଶ ବେହେରାଙ୍କୁ ଯୋଗାଯୋଗ କରିଥିଲେ । ତାଙ୍କ କ୍ରେଡିଟ କାର୍ଡ ଅପଡେଟ କରିବା ନାଁରେ ତାଙ୍କ ଠାରୁ କାଗଜ ପତ୍ର ନେଇ 3 ଲକ୍ଷ 33 ହଜାର ଟଙ୍କା ଲୁଟ କରିଥିଲେ । ଗତ 11 ଜାନୁଆରିରେ ଏହାର ଅଭିଯୋଗ ହେବା ପରେ ପୋଲିସ ଏହାର ତଦନ୍ତ କରି ଉଭୟଙ୍କୁ ଗିରଫ କରିଛି । ତେବେ ଏନେଇ ଏସଡିପିଓ ତୁଫାନ ବାଗ କହିଛନ୍ତି, ‘‘ତାଙ୍କ ଠାରୁ ଦୁଇ ଲକ୍ଷ ଟଙ୍କା ସହ ମୋବାଇଲ ଫୋନ ଆଦି ଜବତ କରାଯାଇଛି । ଆଜି ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।’’
ଇଟିଭି ଭାରତ, ବଲାଙ୍ଗୀର