ବଲାଙ୍ଗୀର: ଘର ଦୁଆରେ ଅଛି ଶୌଚାଳୟ । ହେଲେ ଖୋଲାରେ ହେବାକୁ ପଡୁଛି ଶୌଚ । ସ୍ବଚ୍ଛ ଭାରତ ମିଶନର ବାସ୍ତବ ଚିତ୍ର ଏପରି । କାହାଣୀ, ବଲାଙ୍ଗୀର ତୁରେଇକେଲା ଗାଁର ।
ଗାଁରେ ସରକାରୀ ଯୋଜନାରେ ଶୌଚାଳୟ ହୋଇଛି ସତ । ହେଲେ କେଉଁଠି ଘରର ଅନାବଶ୍ୟକୀୟ ଜିନିଷ ରଖାଯାଇଛି, ତ କେଉଁଠି ଛଣ ଗଦା ହୋଇଛି । ଆଉ କିଛିକୁ ଦେଖିଲେ ମନେହେଉଛି, 6 ମାସ ହେଲା ଦୁଆର ପର୍ଯ୍ୟନ୍ତ କେହି ଯାଇନଥିବେ । ନିମ୍ନମାନର କାମ ଓ ଛୋଟିଆ ଶୌଚାଳୟ ହୋଇଥିବାରୁ ବ୍ୟବହାର କରି ହେଉନଥିବା ଅଭିଯୋଗ ହେଉଛି ।
ଖାଲି ତୁରେଇକେଲା କାହିଁକି, ଜିଲ୍ଲାରେ ବିଭିନ୍ନ ସ୍ଥାନରେ ସମାନ ଚିତ୍ର । ଠିକାଦାର ଆସିଲା । ମନମୁତାବକ ଶୌଚାଳୟ ବନାଇଦେଲା । ହେଲେ ବ୍ୟବହାର କରିବ କିଏ, ଲୋକେ ତ ନାରାଜ । ଅନ୍ୟପଟେ ବହୁସ୍ଥାନରେ ଏପର୍ଯ୍ୟନ୍ତ ଶୌଚାଳୟ ହୋଇପାରିନାହିଁ । ଜିଲ୍ଲାରେ ଜୁଲାଇ ମାସ ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା । ହେଲେ ଏପର୍ଯ୍ୟନ୍ତ 66 ପ୍ରତିଶତ କାମ ସରିଛି ।
ଝିଅ ବୋହୂଙ୍କୁ ସମ୍ମାନ । ପ୍ରତି ଘରେ ହେବ ପାଇଖାନା । ଖୋଲାରେ ଶୌଚ ସମ୍ପୂର୍ଣ୍ଣ ବନ୍ଦ । ଏଭଳି କିଛି ଲକ୍ଷ୍ୟ ରଖି ଆରମ୍ଭ ହୋଇଥିଲା ସ୍ବଚ୍ଛ ଭାରତ ମିଶନ । ମାତ୍ର ଗ୍ରାଉଣ୍ଡ ଜିରୋ ଚିତ୍ର ଏହି ମିଶନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ବଲାଙ୍ଗୀରରୁ ଶେଖ ମହମ୍ମହ ୱାହିଦ, ଇଟିଭି ଭାରତ