ବଲାଙ୍ଗୀର: ବଲାଙ୍ଗୀର ପୋଲିସର ବେଆଇନ କଫ ସିରଫ କ୍ଲିନ ମିସନରେ ପୋଲିସକୁ ପୁଣି ମିଳିଛି ବଡ ସଫଳତା । ଯେଉଁଥିରେ ପୋଲିସ ଆନ୍ତରାଜ୍ୟ କଫ ସିରପ ମାଫିଆଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର କଫ ସିରଫ ଜବତ କରିଛି। ବିଶ୍ବସ୍ଥ ସୂତ୍ରରୁ ଖବର ପାଇ ପୋଲିସ ବଲାଙ୍ଗୀରସ୍ଥିତ ପଥର ଚେପାଠାରେ ଦୁଇଟି ଗାଡିକୁ ଧରିଥିଲା । ଯେଉଁଥିରେ ପନିପରିବା ନାଁରେ ବିପୁଳ ପରିମାଣର କଫ ସିରପ ଚାଲାଣ ହେଉଥିଲା।
ପୋଲିସ ଏଥିରେ 5 ହଜାର 920 ବୋତଲ ଏସକଫ କଫ ସିରପ ଜବତ କରିଛି। ଏଥିରେ 5ଜଣଙ୍କୁ ଗିରଫ କରିବା ସହ ତାଙ୍କଠାରୁ 70 ହଜାର ନଗଦ ଟଙ୍କା, 7ଟି ମୋବାଇଲ, ଗୋଟିଏ ଟାଟା ଏସି ପିକଅପ ଭ୍ୟାନ ଓ ଗୋଟିଏ ମହିନ୍ଦ୍ରା ଟିୟୁଭି ଗାଡି ଜବତ କରିଛି। ତେବେ ଗିରଫ 5ଙ୍କ ମଧ୍ୟରେ ବଲାଙ୍ଗୀର ଲୋଇସିଂହାର ଗୋଲୁ ଓରଫ ଲକ୍ଷ୍ମୀ ନାରାୟଣ ଅଗ୍ରୱାଲ, ବରଗଡ଼ ଜିଲ୍ଲା ଗାଇସିଲେଟର ଲଳିତ କୁମାର ବାଜପେୟୀ, ନୂଆପଡା ଜିଲ୍ଲାର ବିକାଶ ଧାରୁଆ, ମୁକୁନ୍ଦ ଚରଣ ନାଗ ଓ ବଲାଙ୍ଗୀର ପାଟଣାଗଡ଼ର କ୍ଷୀତି ଚନ୍ଦ୍ର ଷଣ୍ଢ ଥିବା ପୋଲିସ ସ୍ପଷ୍ଟ କରିଛି।
ଏହି ଗ୍ୟାଙ୍ଗର ବଲାଙ୍ଗୀର ମୁଖ୍ୟ ଭାବରେ ଗୋଲୁ ଓରଫ ଲକ୍ଷ୍ମୀ ନାରାୟଣ ଅଗ୍ରୱାଲ ବାହାର ରାଜ୍ୟରୁ ବେଆଇନ ଭାବରେ ଏହି କଫ ସିରପ ଆଣି ନୂଆପଡା, ବରଗଡ଼ ଭଳି ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାକୁ ପଠାଉଥିଲା। ସେହିପରି ଏହି ନିଶା ବ୍ୟବସାୟରେ ନୂଆପଡା ଜିଲ୍ଲାରେ ବିକାଶ ଧାରୁଆ ଓ ମୁକୁନ୍ଦ ଚରଣ ନାଗ ଏହି ବ୍ୟବସାୟ କରୁଥିଲେ। ସମାନ ଭାବରେ ବରଗଡ଼ ଜିଲ୍ଲାରେ ଲଳିତ କୁମାର ବାଜପେୟୀ ଏହି ବ୍ୟବସାୟରେ ଲିପ୍ତ ଥିଲେ।
ଅଭିଯୁକ୍ତମାନେ ଦୁଇଟି ଗାଡ଼ିରେ ଶୁକ୍ରବାର ବଲାଙ୍ଗୀର ପଟୁ ଏହି କଫ ସିରଫ ଚାଲାଣ କରୁଥିବା ବେଳେ ପୋଲିସର ସ୍ବତନ୍ତ୍ର ଦୁଇଟି ଟିମ ଏମାନଙ୍କୁ ଧରିଥିଲା। ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରିବା ସହ ପୋଲିସ ଅଧିକ ତଦନ୍ତ ପାଇଁ ଏମାନଙ୍କୁ ରିମାଣ୍ଡରେ ଆଣିବା ନେଇ ପୋଲିସ ସୂଚନା ଦେଇଛି। ସେହିପରି ପୋଲିସ ଏଥିରେ ଜଡିତ ରାଜ୍ୟ ବାହାର ଅଭିଯୁକ୍ତମାନଙ୍କୁ ମଧ୍ୟ ଧରିବା ସହ ଏମାନଙ୍କର ଏହି ନିଶା ବ୍ୟବସାୟ ଯେମିତି ବନ୍ଦ ହେବ ତା ପାଇଁ ସବୁ ପ୍ରକାର ପଦକ୍ଷେପ ନେବ ବୋଲି କହିଛି।
ଏଥିସହ ପୋଲିସ ଜିଲ୍ଲା ଓ ଜିଲ୍ଲା ବାହାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପାଖାପାଖି 50 ହଜାରରୁ ଉର୍ଦ୍ଧ୍ବ ବୋତଲ କଫ ସିରପ ଜବତ କରି ସାରିଲାଣି । ସାଥୀରେ 12ରୁ ଉର୍ଦ୍ଧ୍ବ ଜଣକୁ ଗିରଫ କରି କୋର୍ଟ ଚାଲାଣ କରି ଏହି ମିଶନ କ୍ଲିନ ଜାରି ରଖିଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ