ବଲାଙ୍ଗୀର: କୋରୋନା ପାଇଁ ଜାରି ରହିଛି ଲକଡାଉନ । ତେବେ ଏଥିଯୋଗୁଁ ସବୁ କ୍ଷେତ୍ର କ୍ଷତି ସହୁଥିବା ବେଳେ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ଛାତ୍ରଛାତ୍ରୀ । ସ୍କୁଲ ଖୋଲିବା ନେଇ ଲାଗିରହିଛି ଅନିଶ୍ଚିତତା। ସେହିପରି ଅନେକ ସ୍କୁଲରେ ନବମ ଶ୍ରେଣୀର କିଛି ପରୀକ୍ଷା ମଧ୍ୟ ବାକି ରହିଯାଇଛି।
ସାଧାରଣତଃ ସବୁ ସ୍କୁଲରେ ଏପ୍ରିଲ ପହିଲାରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ ହୋଇଥାଏ । ହେଲେ ଏବର୍ଷ କୋରୋନା ଯୋଗୁଁ ଏଯାଏଁ ସ୍କୁଲ ଖୋଲି ନଥିବାରୁ ପାଠପଢା ବନ୍ଦ ରହିଛି। ତେବେ ପାଠ୍ୟକ୍ରମ ପଛାଇବ ନାହିଁ ବୋଲି ସରକାର ଅନଲାଇନ ପାଠ ପଢା ଆରମ୍ଭ କରିଛନ୍ତି। ହେଲେ ଗ୍ରାମାଞ୍ଚଳରେ ଏହା ସମ୍ଭବପର ହୋଇ ପାରିନାହିଁ। କେଉଁଠି ନେଟୱାର୍କ ନାହିଁ ତ କେଉଁଠି ପିଲାଙ୍କ ପାଖରେ ମୋବାଇଲ ନାହିଁ। ଫଳରେ 90 ଭାଗ ଛାତ୍ରଛାତ୍ରୀ ପାଠ ପଢିବାରୁ ବଞ୍ଚିତ ହୋଇଛନ୍ତି।
ଅନ୍ୟପକ୍ଷେ ପ୍ରଶାସନ ମଧ୍ୟ ଛାତ୍ରଛାତ୍ରୀଙ୍କ ପାଠ ପଢା ପଛେଇ ଯାଇଥିବାର ମାନିଛନ୍ତି। ତେବେ ଏଥିପାଇଁ ଶିକ୍ଷା ସଂଯୋଗ ବୋଲି କାର୍ଯ୍ୟକ୍ରମ ଜାରି ରହି ଛାତ୍ର ଛାତ୍ରୀଙ୍କୁ ଅନଲାଇନ ପାଠ ପଢିବା ସୁବିଧା କରାଯାଇଛି। ଏଥିରେ ଅଳ୍ପ ମାତ୍ର କିଛି ଛାତ୍ରଛାତ୍ରୀ ଯୋଡି ହୋଇଥିବାର ପ୍ରଶାସନ କହିଛି। ତେବେ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଜୁନ 17ରେ ସ୍କୁଲ ଖୋଲିବା କଥା, କିନ୍ତୁ ଏବେ ସ୍କୁଲଗୁଡିକ ଅସ୍ଥାୟୀ ଆଶ୍ରୟ ସ୍ଥଳ କିମ୍ବା ସଙ୍ଗରୋଧ କେନ୍ଦ୍ର ଭାବରେ କାର୍ଯ୍ୟ କରୁଛି । ତେବେ ଜୁନ ପରେ ମଧ୍ୟ ସ୍କୁଲ ଖୋଲିବା ନେଇ ଅନିଶ୍ଚିତତା ଲାଗି ରହିଛି।
ବଲାଙ୍ଗୀରରୁ ଏସ. କେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ