ବଲାଙ୍ଗୀର: ଘରୋଇ ସ୍କୁଲରେ ଛାତ୍ରଙ୍କୁ ନିର୍ଯାତନା ଅଭିଯୋଗ । ସ୍କୁଲରେ ଛାତ୍ରଙ୍କୁ ରାତିରେ ତଳେ ଶୁଆଇବା ସହ ନିସ୍ତୁକ ମାଡ଼ । ସ୍କୁଲ ନିର୍ଦ୍ଦେଶକଙ୍କ ମାଡରେ ଛାତ୍ରଙ୍କ କାନରେ ଗଭୀର ଆଘାତ ଲାଗିଥିବା ଅଭିଯୋଗ କରି ଥାନାର ଦ୍ବାରସ୍ଥ ହୋଇଛନ୍ତି ପୀଡ଼ିତଙ୍କ ପରିବାର ଲୋକେ । ଘଟଣାସ୍ଥଳରେ ପୋଲିସ ଓ ଚାଇଲ୍ଡ ଲାଇନ ପହଞ୍ଚି ତଦନ୍ତ ଜାରି ରଖିଛି ।
ବଲାଙ୍ଗୀର ଘରୋଇ ପବ୍ଲିକ ସ୍କୁଲ ବିରୋଧରେ ଆସିଛି ଏଭଳି ସଙ୍ଗିନ ଅଭିଯୋଗ । ପାଟଣାଗଡ ଅଞ୍ଚଳରେ ଜଣେ ଛାତ୍ର ଗତ ୬ ଦିନ ତଳେ ଏହି ସ୍କୁଲରେ ନାମ ଲେଖାଇ ଥିଲେ। ସେ ନବମ ଶ୍ରେଣୀରେ ନାମ ଲେଖାଇ ଥିବାବେଳେ ସ୍କୁଲରେ ଶୋଇବା ଶଯ୍ୟା କମ ଥିବାରୁ ଛାତ୍ରଙ୍କୁ ତଳେ ଶୋଇବାକୁ କୁହାଯାଇଥିଲା । ତଳେ ଶୋଇବା ଯୋଗୁଁ ଛାତ୍ରଙ୍କ ଦେହରେ ପୀଡା ହୋଇଥିଲା। ସେ ଅନ୍ୟ ଜଣେ ସହପାଠୀ ସହ ଏକ ଶଯ୍ୟା ରାତିରେ ଶୋଇଥିଲେ । ସେହି ସମୟରେ ସ୍କୁଲର ନିର୍ଦ୍ଦେଶକ ଆସି ତାଙ୍କୁ ଏଠି କାହିଁକି ଶୋଇଛୁ କହି ଏକ ଚାପୁଡ଼ା ମାରିଥିଲେ । ସେହିପରି ଛାତ୍ରଙ୍କୁ ୨୫ ଥର ଉଠବସ କରିଥିଲେ । ସେପଟେ ଛାତ୍ରଙ୍କୁ ମାଡ ହେବାରୁ ତାଙ୍କ କାନରୁ ରକ୍ତ ବାହାରି ଥିଲା । ତେବେ ଏହାକୁ ନେଇ ସ୍କୁଲ କର୍ତ୍ତୁପକ୍ଷ କୌଣସି ପଦକ୍ଷେପ ନେଇ ନଥିଲେ କିମ୍ବା ଚିକିତ୍ସା କରାଇ ନଥିଲେ ବୋଲି ଅଭିଯୋଗ ହୋଇଛି ।
ସେପଟେ ଛାତ୍ରଙ୍କ ବାପାମାଆ ସ୍କୁଲ ଆସି ପୁଅକୁ ଭେଟିବା ପରେ ସବୁ କଥା ଜାଣିବାକୁ ପାଇଥିଲେ । ଏହାର ଅଭିଯୋଗ ସ୍କୁଲକୁ କରିବା ପରେ ଓଲଟା ସ୍କୁଲ କର୍ତ୍ତୃପକ୍ଷ ତାଙ୍କ ଉପରେ ବର୍ଷି ଥିଲେ । ଛାତ୍ରଙ୍କ ମାଆବାପା ନ୍ୟାୟ ପାଇଁ ବଲାଙ୍ଗୀର ସଦର ଥାନାରେ ସ୍କୁଲ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଏହି ସମ୍ବେଦନଶୀଳ ଘଟଣାକୁ ନେଇ ଉଭୟ ସଦର ପୋଲିସ ଓ ବଲାଙ୍ଗୀର ଚାଇଲ୍ଡ ଲାଇନ ତଦନ୍ତ ଆରମ୍ଭ କରିଛନ୍ତି ।
ପୁଅର ଭବିଷ୍ୟତ ଗଢିବା ପାଇଁ ଅଭିଭାବକ ଏହି ସ୍କୁଲରେ ନାମ ଲେଖାଇ ଥିଲେ । ସ୍କୁଲ କର୍ତ୍ତୁପକ୍ଷ ବିନା କାରଣରେ ତାଙ୍କୁ ଏଭଳି ଅମାନୁଷିକ ମାଡ଼ ମାରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ସ୍କୁଲ କର୍ତ୍ତୃପକ୍ଷଙ୍କ ଏଭଳି ମାନମୁଖୀ ଆଚରଣ ପାଇଁ ସେ ତାଙ୍କ ପୁଅର ଟିସି ନେଇ ଯାଇଛନ୍ତି । ଏବେ ନ୍ୟାୟ ପାଇଁ ବଲାଙ୍ଗୀର ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଚାଇଲ୍ଡ ଲାଇନ ଏହାର ତଦନ୍ତ କରିବା ସହ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରିବେ ଓ ଏହି ଘଟଣାର ଟିକିନିଖି ତଦନ୍ତ କରି ଶିଶୁ ମଙ୍ଗଳ କମିଟି ଆଗରେ ହାଜର କରିବେ ବୋଲି ସେ କହିଛନ୍ତି ।
ଇଟିଭି ଭାରତ, ବଲାଙ୍ଗୀର