ବଲାଙ୍ଗୀର: ବାହାଘର ଭୋଜି ଖାଇ ଫେରୁଥିବା ବେଳେ ବାଟରେ ଛକି ବସିଥିଲା ଯମ । ଦୁର୍ଘଟଣାରେ ଚାଲିଗଲା ୫ ଜଣଙ୍କ ଜୀବନ । ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ ବଲାଙ୍ଗୀର ସମ୍ବଲପୁର ୨୬ ନଂ ଜାତୀୟ ରାଜପଥ ଛୁଇଁବନ୍ଧ ନିକଟରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ରାସ୍ତାକଡରେ ଛିଡା ହୋଇଥିବା ଟ୍ରକ ସହ ଗୋଟିଏ କାର୍ ପିଟି ହେବାରୁ ଏଥିରେ ୫ ଜଣଙ୍କର ଶୋଚନୀୟ ମୃତ୍ୟୁ ହୋଇଛି ଓ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ, ୨ ମହିଳା ଓ ଜଣେ ଯୁବକ ଅଛନ୍ତି । ଆହତମାନଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, କାରରେ ତିନୋଟି ପରିବାରର ୭ ଜଣ ସଦସ୍ୟ ଥିଲେ । ସମସ୍ତେ ସମ୍ପର୍କୀୟ । ଗତକାଲି ସେମାନେ ମାମୁଁ ବାହାଘରରେ ଯୋଗ ଦେବାକୁ ବଲାଙ୍ଗୀର ଡୁଡୁକା ଯାଇଥିଲେ । ଭୋଜି ଖାଇ ରାତିରେ କାର୍ ଯୋଗେ ନିଜ ଘର ରାମଜିପଡାକୁ ବାହାରିଥିଲେ । ଛୁଇଁବନ୍ଧ ନିକଟରେ କାର୍ ଭାରସାମ୍ୟ ହରାଇ ରାସ୍ତାକଡରେ ଛିଡା ହୋଇଥିବା ଟ୍ରକକୁ ପଛ ପଟୁ ଜୋରରେ ଧକ୍କା ଦେଇଥିଲା । ଫଳରେ କ୍ଷଣିକ ମଧ୍ୟରେ ସବୁ ଓଲଟପାଲଟ ହୋଇଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର୍ ସମ୍ପୂର୍ଣ୍ଣ ଚୂରମାର୍ ହୋଇଯାଇଥିଲା ଏବଂ ଏଥିରେ ଥିବା ୭ ଜଣଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ସେହି ବାଟଦେଇ ଯାଉଥିବା ଲୋକେ ଅଗ୍ନିଶମ ବିଭାଗ ଓ ପୋଲିସକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜକୁ ନେଇଥିଲେ । ସେଠାରେ ଡାକ୍ତର ୫ ଜଣଙ୍କୁ ମୃତ ଘୋଷଣା କରିଥିଲେ ।
ତେବେ ମୃତକଙ୍କ ମଧ୍ୟରେ ବଲାଙ୍ଗୀର ରାମଜିପଡାର ଜଣାଶୁଣା ଡାକ୍ତର ଜୟନ୍ତ ନାୟକଙ୍କ ୨୫ ବର୍ଷୀୟ ପୁଅ ଆତ୍ମଜ ନାୟକ, ସଦେଇପାଲିର ତାଙ୍କ ସମ୍ପର୍କୀୟ ଦୀପ୍ତି ସାଏ(୩୫), ଦୀପ୍ତିଙ୍କ ୬ ବର୍ଷର ପୁଅ ଅଞ୍ଜି ସାଏ, କନ୍ଧପାଲି ପଡାର ଇପ୍ସିତା ସାଏ(୨୬) ଓ ତାଙ୍କର ୬ ବର୍ଷର ଝିଅ ରିୟା ସାଏ ରହିଛନ୍ତି । ସେହିପରି ଡାକ୍ତର ଜୟନ୍ତଙ୍କ ପତ୍ନୀ ଆରତୀ ନାୟକ ଓ ରଶ୍ମିତା ସାଏ ନାମକ ମହିଳା ଗୁରୁତର ଆହତ ହୋଇଛନ୍ତି । ଯାହା ଜଣାପଡିଛି, ଆରତୀଙ୍କ ପୁଅ ଆତ୍ମଜ ହିଁ ଗାଡି ଚଳାଉଥିଲେ । ଖବର ପାଇ ମୃତକଙ୍କ ସମ୍ପର୍କୀୟ ଭୀମ ଭୋଇ ଡାକ୍ତରଖାନାରେ ପହଞ୍ଚିଛନ୍ତି । କାନ୍ଦ ବୋବାଳିରେ ଫାଟି ପଡିଛି ମେଡିକାଲ ପରିସର । ବଲାଙ୍ଗୀର ଟାଉନ ପୋଲିସ ଅଧିକାରୀ ଓ ଏସଡ଼ିପିଓ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି ।
ବଲାଙ୍ଗୀର ଏସଡିପିଓ କହିଛନ୍ତି ଯେ, ମୃତାହତମାନେ ଡୁଡୁକାରୁ ଏକ ବିବାହ ଘର ସାମିଲ ହୋଇ କାରରେ ବଲାଙ୍ଗୀର ଫେରୁଥିଲେ । ଜାତୀୟ ରାଜପଥ ଛୁଇଁବନ୍ଧ ନିକଟରେ ତାଙ୍କ କାର ରାସ୍ତା କଡରେ ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଇଥିଲା । ଯେଉଁଥିରେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାର ତଦନ୍ତ ଚାଲିଛି ।
ଇଟିଭି ଭାରତ, ବଲାଙ୍ଗୀର