ବଲାଙ୍ଗୀର: ଚଳନ୍ତା ଟ୍ରେନରେ ଚଢ଼ିବା ସମୟରେ ଖସି ପଡ଼ିଲେ ଯାତ୍ରୀ । ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ଆରପିଏଫ ଅଧିକାରୀ । ବଲାଙ୍ଗୀର ରେଳ ଷ୍ଟେସନରେ ଏଭଳି ଏକ ଘଟଣା ଘଟିଛି । ଟ୍ରେନରୁ ପଡ଼ି ରେଳ ଟ୍ରାକକୁ ଯିବା ପୂର୍ବରୁ ଆରପିଏଫ ଅଧିକାରୀ ଜଣକ ଯାତ୍ରୀଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି । ଯାତ୍ରୀଙ୍କୁ ରକ୍ଷା କରିବା ବେଳେ ସେ ମଧ୍ୟ ଆହତ ହୋଇଛନ୍ତି ।
ବଲାଙ୍ଗୀରର ଆରପିଏଫ ଭାରପ୍ରାପ୍ତ ଥାନା ଅଧିକାରୀ ସୋମନାଥ ପଣ୍ଡା । ସବୁ ଦିନ ଭଳି ତାଙ୍କର ଡ୍ୟୁଟି କରୁଥିଲେ । ତେବେ ଗତ 12 ତାରିଖ ରାତିରେ ଏକ ଚଳନ୍ତା ଟ୍ରେନକୁ ଚଢ଼ିବା ଉଦ୍ୟମ କରି ଜଣେ ବ୍ୟକ୍ତି ଟ୍ରେନ୍ ତଳକୁ ଖସି ପଡ଼ିଥିଲେ । ଆରପିଏଫ ଥାନା ଅଧିକାରୀ ତୁରନ୍ତ ଦୌଡ଼ି ଯାଇ ତାଙ୍କୁ ସେଠୁ ଟାଣି ଆଣିବାକୁ ଚେଷ୍ଟା କରିଥିଲେ। ଏହାରି ମଧ୍ୟରେ ସେ ମଧ୍ୟ ଟ୍ରେନ୍ ତଳକୁ ଟାଣି ହୋଇ ଯିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ତଥାପି ସେ ଅଦମ୍ୟ ସାହସ ଓ ବୁଦ୍ଧି ଲଗାଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିଶ୍ଚିତ ମୃତ୍ୟୁ ମୁଖରୁ ଟାଣି ଆଣିଥିଲେ । ଏଥିରେ ତାଙ୍କ ଗୋଡ଼ରେ ମଧ୍ଯ ଗଭୀର ଆହତ ଲାଗିଥିଲା ।
ଆରପିଏଫ ସୋମନାଥ ପଣ୍ଡା କହିଛନ୍ତି ଯେ, "ଡ୍ୟୁଟି କରିବା ସମୟରେ ଲୋକମାନ୍ୟ ତିଳକ ଟ୍ରେନ ଆସି ଏକ ନମ୍ବର ପ୍ଲାଟଫର୍ମରେ ଲାଗିଥିଲା । ମୁମ୍ବାଇରୁ ପୁରୀ ଯାଉଥିବା ଜଣେ ବ୍ୟକ୍ତି ପାଣି ନେବା ପାଇଁ ଟ୍ରେନରୁ ଓହ୍ଲାଇଥିଲେ । ଏତିକି ବେଳେ ଟ୍ରେନ୍ ଛାଡି ଦେଇଥିଲା । ତେବେ ଯାତ୍ରୀ ଜଣକ ଏକ ପେଟିରେ ପାଣି ବୋତଲ ନେଇ ଚଳନ୍ତା ଟ୍ରେନ ଚଢ଼ିବାକୁ ଚେଷ୍ଟା କରିଥିଲେ । ହେଲେ ଅସାବଧାନତା ହେତୁ ତାଙ୍କ ଗୋଡ ଖସି ଯାଇଥିଲା ଏବଂ ଟ୍ରେନ ଫୁଟ ସିଡି ଓ ପ୍ଲାଟଫର୍ମ ମଧ୍ୟରେ ଫସି ଯାଇଥିଲେ । ଟ୍ରେନ ତାଙ୍କୁ ଘୋଶାଡୀ ନେଉଥିବା ବେଳେ ଏହା ଦେଖି ଦୌଡ଼ି ଯାଇ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲି । ହେଲେ ଟ୍ରେନ ଗତି ବଢୁଥିବାରୁ ମୁଁ ମଧ୍ୟ ସେଥିରେ ଟାଣି ହୋଇ ଯାଇଥିଲି । କୌଶଳ କ୍ରମେ ନିଜେ ଖସି ଆସିବା ସହ ପୁଣି ଯାତ୍ରୀଙ୍କୁ ଟାଣି ଆଣିବାରେ ସଫଳ ହେଲି । " ଏଥିରେ ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । ଏହା ସତ୍ତ୍ୱେ ଯାତ୍ରୀଙ୍କୁ ବଞ୍ଚାଇବା ତାଙ୍କର ପ୍ରମୁଖ ଉଦ୍ଦେଶ୍ୟ ଥିଲା । ଏଥିରେ ସେ ସଫଳ ହୋଇଥିବା ବେଳେ ନିଜକୁ ଧନ୍ୟ ମନେ କରିଛନ୍ତି । ଆରପିଏଫ ଅଧିକାରୀଙ୍କ ସାହାସିକତା ପାଇଁ ତାଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି ।
ଇଟିଭି ଭାରତ, ବଲାଙ୍ଗୀର