ବଲାଙ୍ଗୀର: ରିଲ ଲାଇଭରେ ମିଛିମିଛିକା ଅଭିନୟ କରୁଥିବା ସିନେ ତାରକା ରୋଶନ ଏବଂ ମୁନିଆ ବର୍ତ୍ତମାନ ସତସତିକା ଜୀବନସାଥି ହୋଇଛନ୍ତି । ଦୁହେଁ ରିଲ ଲାଇଫରୁ ରିଅଲ ଲାଇଫ ପାର୍ଟନର ହୋଇଛନ୍ତି । ଓ୍ବେବ ସିରିଜରେ ସ୍ବାମୀ ସ୍ତ୍ରୀ ଭାବରେ ଅଭିନୟ କରି ପଶ୍ଚିମ ଓଡିଶାରେ ପରିଚୟ ସୃଷ୍ଟି କରିଥିବା ରୋଶନ-ମୁନିଆ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।
ଗତକାଲି(ଗୁରୁବାର) ବୈଦିକ ରୀତିନୀତିରେ ଉଭୟଙ୍କ ବିବାହ ହୋଇଛି । ସାତଫେରା ନେଇ ସାରାଜୀବନ ରହିବା ପାଇଁ କଥା ଦେଇଛନ୍ତି । ଗୁରୁବାର ରାତିରେ ସୋନପୁରରେ ସେମାନଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିବାସୀ ରୋଶନ ଭରଦ୍ୱାଜ ଦୀର୍ଘ ବର୍ଷ ହେବ ଅଭିନେତା ଭାବରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ସେହିପରି ସୁବର୍ଣ୍ଣପୁରର ମୁନିଆ ପାଣିଗ୍ରାହୀ ମଧ୍ୟ ଜଣେ ଭଲ ଅଭିନେତ୍ରୀ ଭାବରେ ସବୁଠି ଜଣାଶୁଣା ଅଟନ୍ତି । ତେବେ ଏହି ଦୁଇ ଜଣ ଦୀର୍ଘ ବର୍ଷରୁ ବିଭିନ୍ନ ଟେଲି ସିନେମା, ଲଘୁ ସିନେମା, ହାସ୍ୟଧର୍ମୀ ସିନେମାରେ ସ୍ଵାମୀ ସ୍ତ୍ରୀ ଭାବରେ ଅଭିନୟ କରି ଆସିଛନ୍ତି । କ୍ଷୁଦ୍ର ଚଳଚ୍ଚିତ୍ରରୁ ନେଇ ଓଲିଉଡ ପର୍ଯ୍ୟନ୍ତ ସବୁଥିରେ ନିଜର ଅଭିନୟର ପରାକାଷ୍ଠା ଦେଖାଇଛନ୍ତି । ଏପରିକି ତାଙ୍କର ରୋଶନ ଷ୍ଟୁଡିଓ ନାଁରେ ସାମାଜିକ ଗଣ ମାଧ୍ୟମରେ ମିଲିୟନ ଫୋଲର୍ସ ଅଛନ୍ତି । ରିଲରେ ଅଭିନୟ କରୁକରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।
ଗତ କିଛିଦିନ ପୂର୍ବରୁ ଦୁହେଁ ବିବାହ କରିବା ନେଇ ଘୋଷଣା କରିବା ପରେ ପ୍ରଶଂସକଙ୍କ ମଧ୍ୟରେ ଉତ୍ସୁକତା ବଢିଥିଲା । ତେବେ ଏହି ଯୋଡି ଗତକାଲି ନିଜର ହାତ ଧରି ରିଅଲ ଲାଇଫରେ ଯୋଡ଼ି ସାଜିଛନ୍ତି । ବଲାଙ୍ଗୀର କଣ୍ଟାବାଞ୍ଜିରୁ ରୋଶନ ଭରଦ୍ୱାଜ ଓ ପରିବାର ବର୍ଗ ସୁବର୍ଣ୍ଣପୁର ଯାଇ ସେଠାରେ ବୈଦିକ ରୀତିନୀତିରେ ବିବାହ କରିଥିଲେ । ବଲାଙ୍ଗୀର କଣ୍ଟାବାଞ୍ଜିରେ ଏହାର ଭବ୍ୟ ବନ୍ଧୁମିଳନ କାର୍ଯ୍ୟକ୍ରମ ରଖାଯାଇଛି । ତେବେ ଏହି ସିନେ ତାରକାଙ୍କ ବିବାହକୁ ନେଇ ତାଙ୍କ ପ୍ରଶଂସକ ମଧ୍ୟରେ ଖୁବ ଉତ୍ସାହ ଦେଖିବାକୁ ମିଳିଛି । ସେହିପରି ନବ ବିବାହିତ ଏହି ଯୋଡିକୁ ସବୁଠୁ ଶୁଭେଚ୍ଛାର ସୁଅ ଛୁଟୁଛି ।
ପ୍ରକାଶଥାଉକି, ଗତ କିଛିଦିନ ହେବ ଜୁନାଗଡ଼ ବିଧାୟକ ତଥା ପୂର୍ବତନ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିବାହ ଚର୍ଚ୍ଚାରେ ରହୁଛି । ପ୍ରଥମ ବିବାହର ଅନେକ ବର୍ଷ ପରେ ଦ୍ବିତୀୟ ବିବାହ ଲାଗି ନିଜ ପାଇଁ ଜୀବନ ସାଥୀଟିଏ ଖୋଜି ପାଇଛନ୍ତି ବିଧାୟକ ।
ଇଟିଭି ଭାରତ, ବଲାଙ୍ଗୀର