ବଲାଙ୍ଗୀର: ବଲାଙ୍ଗୀରରେ ଆସନ୍ତା 17 ତାରିଖରୁ ହେବ ରବି ଋତୁ ଧାନ କିଣା । ଏନେଇ ଜିଲ୍ଲା ପ୍ରଶାସନ ସବୁ ପ୍ରସ୍ତୁତି ବ୍ୟବସ୍ଥାକୁ ହାତକୁ ନେଇଛି । ଏଥର 96ଟି ପ୍ରାଥମିକ ସମବାୟ ସମିତି ବା ପେକ୍ସ ଓ 6 ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠି ଦ୍ବାରା ଧାନ କିଣା ଯିବାର ପ୍ରସ୍ତୁତି ହୋଇଛି ।
ସେପଟେ ଏଥିପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏଯାଏଁ 4053 ଜଣ ଚାଷୀ ପଞ୍ଜିକୃତ କରି ସାରିଲେଣି । ତେବେ ଗତ ଖରିଫ ଋତୁ ଧାନ କିଣାରେ ଜିଲ୍ଲାରେ ବ୍ୟାପକ ଦୁର୍ନୀତି ହୋଇଥିବାର ଅଭିଯୋଗ ଆସିଥିବା ବେଳେ ଏଥିରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ମୋଟ 10 ଜଣ ସମବାୟ ସମିତି ଓ 15 ଜଣ ଡାଟା ଏଣ୍ଟ୍ରି କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା ।
ସେପଟେ ଏଥର ଧାନ କିଣାକୁ ଦୁର୍ନୀତି ମୁକ୍ତ କରିବା ପାଇଁ ପ୍ରକୃତ ଚାଷୀ ଚିହ୍ନଟ ପ୍ରକ୍ରିୟା ଜାରି ଥିବା ପ୍ରଶାସନ ତରଫରୁ କୁହାଯାଇଛି । ଯେଉଁଥିରେ ଚାଷୀଙ୍କ ଜମି ଓ ବ୍ୟାଙ୍କ ଆକାଉଣ୍ଟର ଯାଞ୍ଚ ମଧ୍ୟ କରା ଯାଉଛି ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ