ବଲାଙ୍ଗୀର: ପୋଖରୀ ପୁନରୁଦ୍ଧାର ଦାବିରେ ଜଳ ସତ୍ୟାଗ୍ରହ ଆନ୍ଦୋଳନକୁ ଓହ୍ଲାଇଲେ ସହରବାସୀ । ବଲାଙ୍ଗୀର ସହର ରାଜା ଅମଳରୁ ଥିବା ପୋଖରୀ ସବୁ ଏବେ ଅବ୍ୟବହାରଯୋଗ୍ୟ ହୋଇ ପଡ଼ିଛି । ଏହି ସବୁ ପୋଖରୀର ପୁନରୁଦ୍ଧାର ପାଇଁ କ୍ରମାଗତ ଭାବେ ଲୋକେ ଦାବି କରି ଆସୁଛନ୍ତି । ପୂର୍ବରୁ ଅନେକ ଆନ୍ଦୋଳନ କରିଥିଲେ ମଧ୍ୟ ପ୍ରଶାସନ ଅଣଦେଖା କରିବାରୁ ସହରବାସୀଙ୍କ ପକ୍ଷରୁ ଜଳ ସତ୍ୟାଗ୍ରହ ଆନ୍ଦୋଳନ କରାଯାଇଛି ।
ଅଭିଯୋଗ ଅନୁଯାୟୀ, ବଲାଙ୍ଗୀର 9 ନମ୍ବର ୱାର୍ଡ ବେହେରାପାଲି ପଡ଼ା ଅଞ୍ଚଳରେ କାହିଁ କେଉଁ ଅମଳରୁ ଏକ ପୋଖରୀ ରହିଛି । ଏହାରି ଉପରେ ଆଖପାଖ ଅଞ୍ଚଳବାସୀ ନିର୍ଭର କରନ୍ତି । ଦୀର୍ଘ ଦିନ ଧରି ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ହୋଇନଥିବାରୁ ଏହା ପୋତି ହେବାରେ ଲାଗିଛି । ବର୍ତ୍ତମାନ ପୋଖରୀଟି ଆବର୍ଜନାର କୁଣ୍ଡ ପାଳିଟିଛି । ପୋଖରୀ ସଫା ନହେବାରୁ ପାଣି ବିଷାକ୍ତ ହୋଇ ଯାଇଛି । ଲୋକେ ଏହି ପାଣି ବ୍ୟବହାର କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ପୋଖରୀ ସମସ୍ୟା ନେଇ ପ୍ରଶାସନକୁ ଅନେକ ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଲୋକେ ଅଭିଯୋଗ କରିଛନ୍ତି । ତେଣୁ ବାଧ୍ୟ ହୋଇ ଅଞ୍ଚଳବାସୀ ଉକ୍ତ ପୋଖରୀ ଭିତରେ ଜଳ ସତ୍ୟାଗ୍ରହ ଆନ୍ଦୋଳନ କରିଛନ୍ତି । ଅନ୍ୟପଟେ କଂଗ୍ରେସ ଦଳ ଏମାନଙ୍କୁ ସମର୍ଥନ ଦେଇ ପ୍ରତ୍ୟକ୍ଷ ଭାବରେ ଆନ୍ଦୋଳନରେ ସାମିଲ ହୋଇଛି ।
ପୋଖରୀ ସମସ୍ୟା ନେଇ ଅଞ୍ଚଳବାସୀ କହିଛନ୍ତି ଯେ, "10 ବର୍ଷ ହେବ ପୋଖରୀର ପାଣି ବ୍ୟବହାର ଯୋଗ୍ୟ ହେଉ ନାହିଁ । ତଥାପି ପାଣି ସୁବିଧା ନଥିବାରୁ ସମସ୍ତେ ଏହି ପୋଖରୀ ପାଣି ବ୍ୟବହାର କରୁଛନ୍ତି ଏବଂ ବିଭିନ୍ନ ପ୍ରକାରର ଚର୍ମ ରୋଗରେ ପୀଡିତ ହେଉଛନ୍ତି । ଏହାର ପୁନରୁଦ୍ଧାର ପାଇଁ ପ୍ରଶାସନ ପକ୍ଷରେ ଅନେକ ଥର ଦାବି ଜଣାଇ ଥିଲେ ସୁଦ୍ଧା ପ୍ରଶାସନ କୌଣସି ପଦକ୍ଷେପ ନେଉନାହିଁ । ତେଣୁ ବାଧ୍ୟ ହୋଇ ପୁଣିଥରେ ଆନ୍ଦୋଳନ ପନ୍ଥା ଆପଣାଇଛୁ ।" ତେଣୁ ପ୍ରଶାସନ ଏଥିପ୍ରତି ଯଥାଶୀଘ୍ର ପଦକ୍ଷେପ ନନେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ।
ତେବେ ଖାଲି ଗୋଟିଏ ପୋଖରୀ ନୁହେଁ ସହରରେ ଥିବା ସବୁ ପୋଖରୀ ଏବେ ସମାନ ଅବସ୍ଥା । ସମସ୍ତ ପୋଖରୀର ପାଣି ଏବେ ବିଷାକ୍ତ ପାଳିଟିଛି । ସେପଟେ ପ୍ରଶାସନ ଦୀର୍ଘ ବର୍ଷ ହେବ ପୁନରୁଦ୍ଧାର କଥା କହୁଥିବା ବେଲେ ଏଯାଏଁ ପଦକ୍ଷେପ ନେଇନାହିଁ । ଯଦି ପ୍ରଶାସନ ପୋଖରୀ ଗୁଡ଼ିକର ପୁନରୁଦ୍ଧାର ନକରେ ତେବେ ସହରବାସୀ ପୁଣି ଥରେ ଆନ୍ଦୋଳନ କରିବେ ଏବଂ କଂଗ୍ରେସ ସେମାନଙ୍କ ସହ ଛିଡା ହେବ ବୋଲି କଂଗ୍ରେସ ନେତା ମନୀଷ ମିଶ୍ର କହିଛନ୍ତି ।
ଇଟିଭି ଭାରତ, ବଲାଙ୍ଗୀର