ବଲାଙ୍ଗୀର: ପାଟଣାଗଡ଼ ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ୍ । ଗୋଟିଏ ପରିବାରର ଛ ଜଣଙ୍କ ହତ୍ୟା ଘଟଣାରେ ସାତ ଜଣ ଗିରଫ ଦୁଇ ଫେରାର। ପୂର୍ବ ଶତ୍ରୁତା କାରଣରୁ ହୋଇଥିଲା ଏହି ହତ୍ୟାକାଣ୍ଡ। ବଲାଙ୍ଗୀର ପାଟଣାଗଡ଼ ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡର ପୋଲିସ୍ କଲା ପର୍ଦ୍ଦାଫାଶ । ଗୋଟିଏ ପରିବାରର ଛ ଜଣଙ୍କ ହତ୍ୟା ଘଟଣାରେ ସାତ ଜଣଙ୍କୁ ପୋଲିସ୍ ଗିରଫ କରିଥିବାବେଳେ ଦୁଇ ଜଣ ଫେରାର ଥିବାର କହିଛି ପୋଲିସ। ତେବେ ପୂର୍ବ ଶତ୍ରୁତା କାରଣରୁ ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ ସ୍ପଷ୍ଟ କରିଛି।
ପାଟଣାଗଡ ସଅଁରା ପଦାରେ ରହୁଥିବା ବୁଲୁ ଜାନି ତାଙ୍କ ସ୍ତ୍ରୀ ଓ ଚାରି ଶିଶୁଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ତେବେ ପୋଲିସର ସୂଚନା ମୁତାବକ ମୃତ ବୁଲୁ ଜାନି ଓ ସମ୍ପର୍କୀୟ ତିନି ପରିବାର ବାବୁଲା ଜାନିଙ୍କ ପରିବାର, ଗଣ୍ଡ ପରିବାର ଓ ମାଝି ପରିବାର ସହ ବହୁ ଦିନରୁ ଶତ୍ରୁତା ଥିଲା। ଏପରିକି ବୁଲୁ ଜାନି ଏମାନଙ୍କୁ ମାଡ଼ପିଟ କରିବାରୁ କିଛି ପରିବାର ଜିଲ୍ଲା ବାହାରକୁ ପଳାଇଥିଲେ। ତେବେ ଏହି କାରଣରୁ ଏହି ତିନି ପରିବାର ମିଶି ହତ୍ୟାକାଣ୍ଡ ଘଟାଇଥିଲେ ବୋଲି କହିଛି ପୋଲିସ ।
ପୂର୍ବରୁ ହତ୍ୟା କରିବା ନେଇ ଷଡଯନ୍ତ୍ର ରଚିଥିବାବେଳେ ବୁଲୁ ଜାନି ଓ ତା ପରିବାରକୁ ସମୂଳେ ନିପାତ୍ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଗତ 11 ତାରିଖରେ ଏମାନେ ବିଳମ୍ବିତ ରାତିରେ ଆସି ସମସ୍ତଙ୍କୁ ହତ୍ୟା କରି ଫେରାର ହୋଇ ଯାଇଥିଲେ। ସେପଟେ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ଏହି ଘଟଣାରେ ସାତ ଜଣ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି । ଯେଉଁଥିରେ ପାଟଣାଗଡ଼ର ବାବୁଲା ଜାନି, ଭୋଳା ଜାନି, ଶିବ ଜାନି ଓ ନବରଙ୍ଗପୁର ଝରିଗାଁର ଛାୟା ଗଣ୍ଡ, ବଳଦେବ ଗଣ୍ଡ, ମନିଶ ଗଣ୍ଡ ଓ ବିଲାଲ ଗଣ୍ଡଙ୍କୁ ପୋଲିସ୍ ଗିରଫ କରିଛି । ସେହିପରି ଏହି ଘଟଣାରେ ଗଙ୍ଗୁଆ ମାଝି ଓ ଅନ୍ୟ ଜଣେ ଫେରାର ଥିବାର ପୋଲିସ୍ କହିଥିବାବେଳେ ସେମାନଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଛି । ତେବେ ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ପୋଲିସ୍ ବିଭିନ୍ନ ମାରଣାସ୍ତ୍ର ସହ ତିନୋଟି ବାଇକ୍ ଜବତ କରିଛି ।
ବଲାଙ୍ଗୀରରୁ ଏସକେ ମହମ୍ମଦ ୱାହିଦ, ଇଟିଭି ଭାରତ