ବଲାଙ୍ଗୀର: ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ କାର୍ଯ୍ୟରତ ନର୍ସଙ୍କ ଉପରେ ହୋଇଥିବା ଆକ୍ରମଣକୁ ବିରୋଧ । ଘଟଣାକୁ ବହୁତ ଦିନ ବିତିଯାଇଥିଲେ ବି ପୋଲିସ ସମସ୍ତ ଆକ୍ରମଣକାରୀକୁ ଗିରଫ କରିନାହିଁ । ଏହକୁ ପ୍ରତିବାଦ କରି ସୋମବାର ପାରା ମେଡିକାଲ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏଥିଲାଗି ଦୀର୍ଘ ସମୟ ଧରି ରୋଗୀ ସେବା ବାଧାପ୍ରାପ୍ତ ହୋଇଛି ।
ଏହି ଆନ୍ଦୋଳନରେ ମେଡିକାଲ କଲେଜ ହସ୍ପିଟାଲର ସମସ୍ତ ନର୍ସ, ଲ୍ୟାବ କର୍ମଚାରୀ ଓ ଫାର୍ମାସିଷ୍ଟ ସାମିଲ ହୋଇଛନ୍ତି । ତେବେ ପୋଲିସ ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିଶୃତି ପରେ ଏହି ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ।
ସୂଚନା ଅନୁଯାୟୀ, 10 ଦିନ ତଳେ ଏଠିକାର ଆଇସିୟୁରେ ଚିକିତ୍ସାଧୀନ ଥିବା ଜଣେ ରୋଗୀଙ୍କ ସମ୍ପର୍କୀୟମାନେ ଉପସ୍ଥିତ ନର୍ସଙ୍କୁ ଆକ୍ରମଣ କରିଥିଲେ । ଏହାକୁ ପ୍ରତିବାଦ କରି ପ୍ରଥମେ ମେଡିକାଲ କର୍ମଚାରୀ କଳା ବ୍ୟାଚ ପିନ୍ଧି କାମ କରୁଥିବାବେଳେ ଏ ନେଇ ବଲାଙ୍ଗୀର ଟାଉନ ଥାନାରେ ଲିଖିତ ଅଭିଯୋଗ ମଧ୍ୟ ଦେଇଥିଲେ ।
ଏହା ପରେ ପୋଲିସ 2 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରିଥିଲା । ସେପଟେ ଅନ୍ୟମାନଙ୍କୁ ଶୀଘ୍ର ଗିରଫ କରିବା ପାଇଁ ଦାବି କରିବା ସହ ଏହି ଆନ୍ଦୋଳନ କରିଛନ୍ତି । ତେବେ ପୋଲିସ ଓ ମେଡିକାଲ କର୍ତ୍ତୃପକ୍ଷଙ୍କୁ 7 ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣର ପ୍ରତିଶୃତି ପରେ ଏହି ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ।
ଏପଟେ ଆଗାମୀ 8 ଦିନ ଭିତରେ ଯଦି ପୋଲିସ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ ନ କରେ, ଏହି ଆନ୍ଦୋଳନ ପୁଣି ହେବ ବୋଲି ଏହି ପାରା ମେଡିକାଲ କର୍ମଚାରୀ କହିଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ