ବଲାଙ୍ଗୀର: ବଲାଙ୍ଗୀରରେ ଧାନ କିଣାରେ ବ୍ୟାପକ ଦୁର୍ନୀତି ଚାଲିଥିବା ଅଭିଯୋଗ ହୋଇ ଆସୁଛି । କିଛି ଦିନ ତଳେ ସର ମୁହାଣ ପେକ୍ସରେ ଦୁର୍ନୀତି ହେଉଥିବା ନେଇ ସାମ୍ନାକୁ ଆଣିଥିଲା ଇଟିଭି ଭାରତ । ଏହି ଖବର ପ୍ରକାଶିତ ହେବା ପରେ ପ୍ରଶାସନ ଧାନ କିଣା ଦୁର୍ନୀତିର ତଦନ୍ତ ଆରମ୍ଭ କରିଛି ।
ବଲାଙ୍ଗୀର ଜିଲ୍ଲାରେ ଧାନ କିଣା ଚାଲିଥିବାବେଳେ ଧାନ କିଣାରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇ ଆସୁଥିଲା । ଏହି ଦୁର୍ନୀତିର କେନ୍ଦ୍ର ବିନ୍ଦୁ ପ୍ରାଥମିକ ସମବାୟ ସମିତି ବା ପେକ୍ସ ଜଡ଼ିତ ରହିଥିବା ନଜିର ସାମ୍ନାକୁ ଆସିଛି । ଏହି ଖବର ପ୍ରଥମେ ଇଟିଭି ଭାରତରେ ପ୍ରକାଶିତ ହୋଇଥିଲା । ଯାହାର ପ୍ରଭାବରେ ଏବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ ହୋଇଛି ।
ବେଲପଡ଼ା ବ୍ଲକ ସରମୁହାଣ ପେକ୍ସ ସମ୍ପାଦକ ତପନ ମେହେର ଚାଷୀଙ୍କ ଅଜାଣତରେ ତାଙ୍କ ନାଁରେ ଲକ୍ଷାଧିକ ଟଙ୍କାର ଧାନ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା । ସବୁ ସରକାରୀ ନିୟମକୁ ଜଳାଞ୍ଜଳି ଦେଇ ଏହି ଦୁର୍ନୀତି ହେଉଥିଲା । କେନ୍ ଗ୍ରାମର ଚାଷୀ ସାଧୁ ପଟେଲଙ୍କ ନାମରେ ପାଞ୍ଚ ଏକର ଜମିରେ 282 କ୍ବିଣ୍ଟାଲ ଧାନ ବିକ୍ରି କରାଯାଇଥିଲା । ସେହିପରି ଜାଲ ଜମି କାଗଜ ପତ୍ରରେ ଭାଲୁଖାଇ ଗ୍ରାମର ଚାଷୀ କଳା କାହୁଁ ନାଁରେ 200 କ୍ବିଣ୍ଟାଲ, ଧୁମଭଟା ଗ୍ରାମର ଚାଷୀ ଅନ୍ତରାମ କାଣ୍ଡଙ୍କ ନାଁରେ 260 କ୍ବିଣ୍ଟାଲ ଓ ଖରଖାରା ଗ୍ରାମର ଚାଷୀ ଜଳନ୍ଧର ଛତ୍ରିଆ ନାମରେ 360 କ୍ବିଣ୍ଟାଲ ଧାନ ବିକ୍ରି କରାଯାଇଥିଲା ।
ଏହି ସମସ୍ତ ଚାଷୀଙ୍କ ଅଜାଣତରେ ସମସ୍ତ ଧାନ ବିକ୍ରି ହୋଇଥିବା ନେଇ ଆମେ ଦେଖାଇଥିଲୁ। ଯାହାକୁ ନେଇ ବର୍ତ୍ତମାନ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପାଟଣାଗଡ଼ ଉପଜିଲ୍ଲାପାଳ ଓ ବେଲପଡ଼ା ତହସିଲଦାର ଏହାର ତଦନ୍ତ ଆରମ୍ଭ କରିଛନ୍ତି । ଉପଜିଲ୍ଲାପାଳ ଦୁର୍ନୀତି ହୋଇଥିବା ମାନିଛନ୍ତି । ଏହି ଦୁର୍ନୀତିରେ ଜଡ଼ିତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ