ବଲାଙ୍ଗୀର: ଜିଲ୍ଲା ପ୍ରତି ରାଜ୍ୟ ସରକାର ଘୋର ବୈମାତୃକ ମନୋଭାବ ପୋଷଣ କରୁଥିବାର ଅଭିଯୋଗ ଆଣିଛନ୍ତି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର । ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ଦାବି କରି ଆସୁଥିଲେ ସୁଦ୍ଧା ରାଜ୍ୟ ସରକାର କର୍ଣ୍ଣପାତ କରୁନଥିବା ସେ ଅଭିଯୋଗ କରିଛନ୍ତି ।
ବଲାଙ୍ଗୀରରେ ଏକ ସୁତାକଳ କିମ୍ବା ଟେକ୍ସଟାଇଲ୍ କାରଖାନା ଦାବି ହୋଇ ଆସୁଛି । ଏହାଦ୍ବାରା ଏଠିକାର ରୋଜଗାର ବଢି ପାରିବ ଓ କପାଚାଷୀ ଉପକୃତ ହୋଇ ପାରିବେ । ସମାନ ଭାବରେ ଦାଦନ ସଂଖ୍ୟା କମିବା ସାଙ୍ଗକୁ ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟ ଘଟିବ । ସେହିପରି ଜିଲ୍ଲାର ଏକ ମାତ୍ର କୃଷିଭିତ୍ତିକ ଚିନିକଳ ଦୀର୍ଘ ବର୍ଷ ହେଲା ବନ୍ଦ ହୋଇ ପଡି ରହିଛି । ଯାହା ଫଳରେ ଏଠିକାର ଆଖୁଚାଷୀ କ୍ଷତି ସହିବା ସହ ଆଖୁ ଚାଷ କରିବା ବନ୍ଦ କରି ଦେଇଛନ୍ତି । ତେଣୁ ଏହି ଚିନି କଳକୁ ପୁନଃକାର୍ଯ୍ୟକ୍ଷମ କରିବାକୁ ଲୋକେ ଅନେକ ଥର ଆନ୍ଦୋଲନ କରି ଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ କରିଛନ୍ତି ।
ଏକ ସାମ୍ବାଦିକ ସମ୍ମିଳନୀ କରି ନରସିଂହ ମିଶ୍ର କହିଛନ୍ତି, "ରାଜ୍ୟ ସରକାର ଓଡିଶା ରାଜ୍ୟପାଳଙ୍କ ଜରିଆରେ ପଶ୍ଚିମ ଓଡ଼ିଶାରେ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ପ୍ରତିଶୃତି ଦେଇଥିଲେ । ହେଲେ ଆଜି ଯାଏଁ ତାକୁ ନେଇ ସରକାର ଚୁପ ବସିଛନ୍ତି । ଏହାଛଡ଼ା ଏଠାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ଲୋକଙ୍କ ଅନେକ ଦିନରୁ ଦାବି ରହି ଆସିଛି । କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାର ପରସ୍ପର ଉପରେ ଦୋଷ ଲଦି ଦାବିକୁ ବର୍ଷ ବର୍ଷ ଧରି ଚାପି ରଖିଛନ୍ତି। ସେହିପରି ସୋନଗଡ଼ ନଦୀରେ ବ୍ୟାରେଜ, ପୋଖରୀଗୁଡ଼ିକର ପୁନଃଉଦ୍ଧାର, ଶିକ୍ଷା କ୍ଷେତ୍ରରେ ଶିକ୍ଷକ ନିଯୁକ୍ତି, ସ୍କୁଲ ଗୃହ ନିର୍ମାଣ ଓ ଡାକ୍ତରଖାନାମାନଙ୍କରେ ଡାକ୍ତର ନିଯୁକ୍ତିକୁ ନେଇ ଦାବି ହୋଇ ଆସୁଥିଲେ ସୁଦ୍ଧା ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଅଛନ୍ତି ।"
ଏହା ମଧ୍ୟ ପଢନ୍ତୁ- କାମଚଳା ବାଚସ୍ପତିରେ ଚାଲିଛି ବିଧାନସଭା, ପଦକ୍ଷେପ ନେବାକୁ ଦାବି କଲେ ନରସିଂହ
ସେହିପରି ରାଜ୍ୟର ଅନ୍ୟ ମନ୍ଦିରମାନଙ୍କୁ ହଜାର ହଜାର କୋଟି ଟଙ୍କା ସରକାର ଅନୁଦାନ ଦେଉଥିବା ବେଳେ ବଲାଙ୍ଗୀରରେ ଥିବା ମା ସମଲେଶ୍ବରୀ, ପାଟଣେଶ୍ବରୀ ଓ ଗୋପାଲଜୀ ମନ୍ଦିର ଦାବି ସତ୍ତ୍ବେ କିଛି ଅନୁଦାନ ଦିଆଯାଇ ନାହିଁ । କେବଳ ମରାମତି ନାଁରେ ମାମଲା ଗଡ଼ାଇ ଦିଆ ଯାଉଥିବା ସେ କହିଛନ୍ତି । ଏସବୁ ଦାବିକୁ ନେଇ ବାରମ୍ବାର ବିଧାନସଭାରେ ବିଷୟ ଉତ୍ଥାପନ କରି ମଧ୍ୟ ସରକାର କିଛି ପଦକ୍ଷେପ ନେଉ ନାହାନ୍ତି । ଓଡ଼ିଶାରେ ଏହି ଅଞ୍ଚଳ ମିଶିବା ସମୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା ଯାହାକୁ ରାଜ୍ୟ ସରକାର ଖୁଲମଖୁଲା ଉଲଂଘନ କରୁଥିବାର ନରସିଂହ ମିଶ୍ର କହିଛନ୍ତି । ତେବେ ସରକାର ଏଭଳି ଆଚରଣ କଲେ ଆଗକୁ ତୀବ୍ର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ।
ଇଟିଭି ଭାରତ, ବଲାଙ୍ଗୀର