ବଲାଙ୍ଗୀର: ସରକାରୀ ଅଧିକାରୀଙ୍କ ନାଁରେ ଆସିଲା ଅସଦାଚରଣ ଅଭିଯୋଗ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଜିଲ୍ଲା କୃଷି ଅଧିକାରୀ ହିମାଂଶୁ ଶେଖର ପାଢ଼ୀ ନାଁରେ । କିଛି ମହିଳା ଭିଏଲଡବ୍ଲୁ କର୍ମଚାରୀ ନିଜ ନାଁ ଗୋପନ ରଖି ଏହି ଅଭିଯୋଗ ଆଣିଛନ୍ତି । ଯାହାକୁ ନେଇ କୃଷି ନିର୍ଦ୍ଦେଶାଳୟରୁ ନିର୍ଦ୍ଦେଶ ଆସିବା ପରେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏହାର ତଦନ୍ତ ଆରମ୍ଭ କରିଛନ୍ତି । ଏଥିପାଇଁ ଏକ କମିଟି କରାଯାଇଥିବା ବେଳେ ଜିଲ୍ଲା କୃଷି କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନଙ୍କର ସାକ୍ଷ୍ୟ ନିଆଯିବ ବୋଲି ସେ କହିଛନ୍ତି ।
ତେବେ ନିର୍ଦ୍ଦିଷ୍ଟ ଭାବରେ କେହି ବ୍ୟକ୍ତି ବିଶେଷ ଏହାର ଅଭିଯୋଗ କରି ନ ଥିବାରୁ ପାରିପାଶ୍ବିକ ପରିସ୍ଥିତିକୁ ଅନୁଧ୍ୟାନ କରାଯିବ ବୋଲି ତଦନ୍ତ କରୁଥିବା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କହିଛନ୍ତି । ତଦନ୍ତ ପାଇଁ ସମୟ ଲାଗିବ । ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ତାର ରିପୋର୍ଟ କୃଷି ନିର୍ଦ୍ଦେଶକଙ୍କୁ ଦିଆଯିବ ବୋଲି ସେ କହିଛନ୍ତି । ତେବେ ଏଠି ସୂଚନା ଥାଉ ଯେ ,ପୂର୍ବରୁ ମଧ୍ୟ ଏହି ଅଧିକାରୀ ହିମାଂଶୁ ଶେଖର ପାଢ଼ୀଙ୍କ ନାଁରେ ଜଣେ ମହିଳା କର୍ମଚାରୀ ନିର୍ଯାତନା ଅଭିଯୋଗ ଆଣିଥିଲେ ।
ମାମଲା ଥାନା ପର୍ଯ୍ୟନ୍ତ ଯାଇଥିଲା ବେଳେ ଏବେ ପୁଣି ଏହି ଗୁରୁତର ଅଭିଯୋଗ ସମ୍ପୃକ୍ତ ଅଧିକାରୀ ନାଁରେ ଆସିଛି। ଯାହାକୁ ନେଇ ସେ କ୍ୟାମେରା ସାମନାରେ କିଛି ବି କହିବାକୁ ମନା କରିଛନ୍ତି।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ