ବଲାଙ୍ଗୀର: ଫଳ ମଧ୍ୟରେ ଆମ୍ବ ହେଉଛି ରାଜା । ଆମ୍ବ ଖାଇବାକୁ କାହାକୁ ବା ଭଲ ନ ଲାଗେ । ଖରା ଦିନ ଆସିଲେ ବଜାରରେ ଆମ୍ବ ପସରା ମେଲିଥାଏ । ଘରେଘରେ ଆମ୍ବ ଦେଖିବାକୁ ମିଳେ । କିନ୍ତୁ ଏଥର ଉତ୍ପାଦନକାରୀ ଜିଲ୍ଲାରେ ମଉଳି ଯାଉଛି ଆମ୍ବ । ବଲାଙ୍ଗୀର ଜିଲ୍ଲାରେ କୌଣସି ଗଛରେ ଆମ୍ବ ଆସିନ ଥିବାବେଳେ କ୍ଷତି ମୁଣ୍ଡାଇଛନ୍ତି ଶହଶହ ଚାଷୀ । ବାହାର ରାଜ୍ୟର ଆମ୍ବ ଆକାଶ ଛୁଆଁ ଦରରେ ବିକ୍ରି ହେଉଛି । ବଜାରରେ ମହଙ୍ଗା ଯୋଗୁଁ ବେପାରୀ ଓ ଖାଉଟିଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି ।
ଆମ୍ବ ଏକ ଅର୍ଥକାରୀ ଫସଲ ହୋଇଥିବା ଯୋଗୁଁ ବଲାଙ୍ଗୀର ଜିଲ୍ଲାର ଶହଶହ ଚାଷୀ ଏହାରି ଉପରେ ନିର୍ଭର କରନ୍ତି । ବର୍ଷସାରା ଆମ୍ବ ଗଛର ଯତ୍ନ ନେଇ ଫଳ ଆସିବା ପରେ ବିକ୍ରି କରି ବେଶ ଦୁଇ ପାଇସା ରୋଜଗାର କରନ୍ତି । ପ୍ରାୟ 20 ହଜାର ହେକ୍ଟରରେ ବିଭିନ୍ନ ପ୍ରଜାତିର ଆମ୍ବ ଚାଷ ହୋଇଥାଏ ଏବଂ ଲକ୍ଷଲକ୍ଷ ଟନର ଆମ୍ବ ଅମଳ ହୁଏ । ଏହାପରେ ଅନ୍ୟ ଜିଲ୍ଲା ତଥା ରାଜ୍ୟ ବାହାରକୁ ଆମ୍ବ ରପ୍ତାନୀ କରି ଚାଷୀମାନେ ବେଶ ଲାଭବାନ ହୋଇଥାନ୍ତି । ହେଲେ ଗତ ଦୁଇ ବର୍ଷ କରୋନା ଲକ ଡାଉନ ଯୋଗୁଁ ବଜାରର ସୁବିଧା ନ ମିଳିବାରୁ ଆମ୍ବ ବିକ୍ରି ହୋଇ ପାରିନ ଥିଲା । ସେପଟେ ଜିଲ୍ଲା ବାହାରକୁ ରପ୍ତାନୀ ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା । ଫଳରେ ଚାଷୀମାନେ ବିପୁଳ କ୍ଷତି ସହିଥିଲେ । ତେବେ ଏବର୍ଷ ଭଲ ଅମଳ ହେବା ସହ ଅଧିକ ରୋଜଗାର ହେବ ବୋଲି ସେମାନେ ଆଶା ବାନ୍ଧିଥିଲେ । ମାତ୍ର ଦଇବ ସାହା ନ ହେଲା ଭଳି କୌଣସି ଗୋଟିଏ ଗଛରେ ମଧ୍ୟ ଫଳ ଆସି ନାହିଁ । ଫସଲର କ୍ଷତି ପୂରଣ କିପରି ହେବ ତାର ଚିନ୍ତାରେ ହତାଶ ହୋଇ ହାତବାନ୍ଧି ଚାଷୀ ବସିଛନ୍ତି ।
ତେବେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ପାଗରେ ପରିବର୍ତ୍ତନ ଯୋଗୁଁ ଏହି ଭଳି ପରିସ୍ଥିତି ହୋଇଛି । ସାଧାରଣତଃ ମାର୍ଚ୍ଚ ମାସରେ ଏଠି ଆମ୍ବ ଗଛରେ ବଉଳ ଆସିଥାଏ ଏବଂ ଏପ୍ରିଲ ମାସରୁ ଫଳ ଧରିବା ଆରମ୍ଭ ହୋଇଥାଏ । ସେହିପରି ଆମ୍ବ ଧରିବାକୁ ହେଲେ 72 ଡିଗ୍ରୀ ଫାରେନାଇଟ ତାପମାତ୍ରା ଆବଶ୍ୟକ ହୁଏ । ହେଲେ ଚଳିତ ବର୍ଷ ମାର୍ଚ୍ଚ ମାସରେ 102 ଫରେନାଇଟ ତାପମାତ୍ରା ରେକର୍ଡ କରା ଯାଇଥିଲା । ଆମ୍ବ ଫଳ ଧରିବା ପୂର୍ବରୁ ବଉଳ ଶୁଖି ଝଡି ଯାଇଥିଲା । ବି ସେପଟେ ସ୍ଥାନୀୟ ଆମ୍ବ ବଜାରକୁ ଆସିନ ଥିବା ବେଳେ ବ୍ୟବସାୟୀ ବାହାର ରାଜ୍ୟରୁ ଚଢା ଦରରେ ଆମ୍ବ ଆଣି ଏଠି ବିକ୍ରି କରୁଛନ୍ତି । ସାଧାରଣତଃ କିଲୋ ପିଛା 25ରୁ ତିରିଶ ଟଙ୍କା ବଦଳରେ 150 ଟଙ୍କାରେ ବିକ୍ରି ହେଉଛି। ମହରଗ ଆମ୍ବ ଦେଖି ଗ୍ରାହକ କିଣିବାକୁ ପଛଘୁଞ୍ଚା ଦେଉଛନ୍ତି ।
ପ୍ରତିକୂଳ ପାଗ ଉଜାଡ଼ି ଦେଇଛି ଚାଷୀଙ୍କ ଫସଲ । ଚଳିତ ଥର ମଧ୍ୟ ଆମ୍ବ ବ୍ୟବସାୟୀଙ୍କୁ ଲକ୍ଷଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡୁଛି । ତେଣୁ ଆମ୍ବ ଭଳି ଅର୍ଥକାରୀ ଏବଂ ଲାଭଦାୟକ ଫସଲକୁ ସରକାରୀ ପ୍ରୋତ୍ସାହନର ଆବଶ୍ୟକତା ଥିବା ଦାବି ହୋଇଛି ।
ଇଟିଭି ଭାରତ, ବଲାଙ୍ଗୀର