ଭୁବନେଶ୍ବର: ସାହାରା ପାଇଲେ ବଲାଙ୍ଗୀରର ବାପା ମା’ ଛେଉଣ୍ଡ ତିନି ଅନାଥ ଶିଶୁ । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ହସ୍ତକ୍ଷେପ ପରେ ପ୍ରଶାସନର ପଦକ୍ଷେପ । ଖାଦ୍ୟ, ସୁରକ୍ଷା, ସ୍ୱାସ୍ଥ୍ୟ ଓ ଶିକ୍ଷା ପାଇଁ ବ୍ୟବସ୍ଥା କରିଛି ବଲାଙ୍ଗୀର ଜିଲ୍ଲା ପ୍ରଶାସନ ।
ବଲାଙ୍ଗୀର ଜିଲ୍ଲାର ମୁଣ୍ଡୋମହୁଲ ପଞ୍ଚାୟତର ରାଣୀଦର୍ହ ଗ୍ରାମର ତିନି ଅନାଥ ପିଲା ହେଲା ପ୍ରମିତା ମାଉସିଆ(୧୩ ବର୍ଷ), ପ୍ରକାଶ ମାଉସିଆ(୧୫ ବର୍ଷ) ଏବଂ କବିତା ମାଉସିଆ(୨୦ ବର୍ଷ) । ଏମାନଙ୍କର ପିତା ସଦାଶିବ ମାଉସିଆଙ୍କର ୨୦୨୧ ମସିହାରେ ଦେହାନ୍ତ ହୋଇଥିଲା । ସଦାଶିବ ଦିନ ମଜୁରୀଆ ଭାବରେ ନିଜର ପରିବାର ପ୍ରତିପୋଷଣ କରୁଥିଲେ । ତାଙ୍କ ଅନ୍ତେ ମା ସେବତୀ ମାଉସିଆ ଯେନେତେନ ପ୍ରକାରେ ପିଲାମାନଙ୍କର ପ୍ରତି ପୋଷଣ କରୁଥିଲେ । ଗତ ଫେବୃଆରୀ ମାସ ୧୯ ତାରିଖ ଦିନ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ସେବତୀ ପ୍ରାଣତ୍ୟାଗ କରିଥିଲେ । ଶିଶୁଙ୍କ ଦୁଃଖ କଥା ଜାଣିବା ମାତ୍ରେ ତୁରନ୍ତ ତଦନ୍ତ ଓ ସହଯୋଗ ପାଇଁ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ବଲାଙ୍ଗୀର ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ପରାମର୍ଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ଟିମ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଲମ୍ବୋଦର ଦୀପ ଓ ସ୍ଥାନୀୟ ପାଟଣାଗଡ ବିଡିଓ ସୁମନ୍ତ କୁମାର ପ୍ରମୁଖ ମୁଣ୍ଡୋମହୁଲ ପଞ୍ଚାୟତର ରାଣୀଦର୍ହ ଗ୍ରାମକୁ ଯାଇ ବାପା-ମା ଛେଉଣ୍ଡ ହୋଇଥିବା ତିନି ପିଲାଙ୍କୁ ଭେଟି ସେମାନଙ୍କ ସହ କଥାବାର୍ତ୍ତା କରିଥିଲେ । ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସହଯୋଗ ନିମନ୍ତେ ସାନ୍ତ୍ୱନା ଦେଇଥିଲେ । ଇତି ମଧ୍ୟରେ ପିଲାମାନଙ୍କୁ ଭର୍ଚୁଆଲ ମୋଡରେ ଶିଶୁ ମଙ୍ଗଳ କମିଟିଙ୍କ ନିକଟରେ ହାଜର କରାଯାଇଛି । କମିଟିଙ୍କର ନିର୍ଦ୍ଦେଶକ୍ରମେ ପ୍ରମିତା ଏବଂ ପ୍ରକାଶଙ୍କୁ ମିଶନ ବାତ୍ସଲ୍ୟ ଯୋଜନାରେ ଶିଶୁ ଗୃହରେ ରଖାଯିବାର ବ୍ୟବସ୍ଥା କରାଯାଇଛି । ସେଠାରେ ସେମାନଙ୍କର ଯତ୍ନ, ସୁରକ୍ଷା ଓ ଶିକ୍ଷାର ସମସ୍ତ ବ୍ୟବସ୍ଥା କରାଯିବ । ପ୍ରକାଶ ଚଳିତ ବର୍ଷ ମନେଇପାଦ ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା ଦେବେ । ପ୍ରମିତା ସେହି ସ୍କୁଲରେ ୮ମ ଶ୍ରେଣୀ ବାର୍ଷିକ ପରୀକ୍ଷା ଦେବେ । ପରୀକ୍ଷା ପରେ ଉଭୟ ଭାଇ ଭଉଣୀ ଶିଶୁ ଗୃହକୁ ଯିବେ । ପରୀକ୍ଷା ପର୍ଯ୍ୟନ୍ତ ପିଲାମାନେ ତାଙ୍କ ବଡବାପା ପୁଅ ଭାଇ-ଭାଉଜଙ୍କ ଅବିଭାବକତ୍ୱରେ ରହିବେ ।
ଏସବୁ ବ୍ୟବସ୍ଥା ବ୍ୟତୀତ ବର୍ତ୍ତମାନ ସୁଦ୍ଧା ପାଟଣାଗଡ଼ ବିଡିଓ ପିଲାମାନଙ୍କୁ ଅନ୍ତଦ୍ୟୋୟ ଅନ୍ନପୂର୍ଣ୍ଣା ଯୋଜନାରେ ସାମିଲ କରିଛନ୍ତି । ସେମାନେ ସେଥିରେ ମାସିକ ୩୫ କିଲୋ ଚାଉଳ ପାଇବେ । ଛେଉଣ୍ଡ ପିଲାମାନଙ୍କୁ ‘ଆର୍ଶିବାଦ’ ଯୋଜନାରେ ସାମିଲ କରାଯାଇଛି । ବ୍ୟାଙ୍କ ଆକାଉଣ୍ଟ୍ ଖାତା ମାଧ୍ୟମରେ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ବଡଝିଅ କବିତା +୨ ପାସ କରି ପାଠ ଛାଡ଼ିଛି । ଓଡ଼ିଶା ଜିବୀକା ମିଶନ କାର୍ଯ୍ୟକ୍ରମରେ ତାଙ୍କୁ ସାମିଲ କରି କୌଶଳ ବିକାଶ ତାଲିମ ସହ ରୋଜଗାରକ୍ଷମ ଓ ଆତ୍ମ ନିର୍ଭରଶୀଳ କରାଯିବ ବୋଲି ବିଡିଓ କହିଛନ୍ତି । ପରିବାରକୁ ମଧ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯାଇଛି । ଏହି ଛେଉଣ୍ଡ ପିଲାମାନଙ୍କର ଯତ୍ନ, ସୁରକ୍ଷା, ଶିକ୍ଷା ଓ ଭବିଷ୍ୟତ ଜିବୀକା ନିର୍ବାହ ଉପାୟ ଆଦି ନିମନ୍ତେ ପ୍ରଶାସନ ତରଫରୁ ସମନ୍ୱିତ ବ୍ୟବସ୍ଥା କରାଯାଉଛି । ଦିନେ ଦୁଇଦିନ ମଧ୍ୟରେ ବାପା-ମା ଛେଉଣ୍ଡ ପିଲାମାନଙ୍କ ପାଖରେ ପହଞ୍ଚି ସମସ୍ତ ବ୍ୟବସ୍ଥା କରିଥିବାରୁ ମୁଖ୍ୟ ଶାସନ ସଚିବ ସ୍ଥାନୀୟ ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର