ବଲାଙ୍ଗୀର: ଲାଠୋର ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କଲା ପୋଲିସ । ଏହି ମାମଲାରେ ତିନି ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ସହ ମହିନ୍ଦ୍ରା କେୟୁଭି ଗାଡ଼ି ଓ ଗୋଟିଏ ମୋଟର ସାଇକେଲ ଜବତ କରିଛି ପୋଲିସ ।
ବଲାଙ୍ଗୀର ଜିଲ୍ଲାର ଲାଠୋର ଥାନା ଅଞ୍ଚଳରେ ଗତ 14 ଜୁନ 2020ରେ ଲାଠୋର ରେଳଷ୍ଟେସନ ନିକଟ ଏକ ରେଳ ଲାଇନରୁ ଜଣେ ଯୁବକର ମୃତ ଦେହକୁ ରେଳବାଇ ପୋଲିସ ଉଦ୍ଧାର କରିଥିଲା । ତେବେ ମୃତ ଯୁବକର ପରିଚୟ ରାଜାରାମ ସୁନା ଲାଠୋର ଗ୍ରାମର ବୋଲି ଜଣାପଡିଥିଲା । ତେବେ ପୋଲିସ ଏ ଦିଗରେ ତଦନ୍ତ କରି ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଜାଣିବାକୁ ପାଇଥିଲା । ଏହି ଘଟଣାରେ ପୋଲିସ ନୂଆପଡ଼ା ଜିଲ୍ଲାର ଖରିଆରର ଜିତେନ ସିଂ ବାଘା, ଅଜୟ ମିଶ୍ର ଓ ନୂଆପଡ଼ା କୋମନାର ନୀଳାମ୍ବର ସୁନାଙ୍କୁ ପୋଲିସ ଗିରଫ କରିଥିଲା ।
ସୂଚନାଥାଉକି ତିନି ଜଣ ଗତ 14 ଜୁନରେ ପୂର୍ବ ଶତ୍ରୁତା କାରଣରୁ ଲାଠୋର ଗ୍ରାମର ରାଜାରାମ ସୁନାକୁ ଘରୁ ଡାକି ଆଣି ଜାକି ରଡରେ ପିଟିପିଟି ହତ୍ୟା କରିଥିଲେ । ହତ୍ୟାକାଣ୍ଡକୁ ଦୁର୍ଘଟଣାର ରୂପ ଦେବାକୁ ଯାଇ ରେଳ ଲାଇନରେ ଫିଙ୍ଗି ଦେଇଥିଲେ । ତେବେ ସେମାନେ ମୃତଦେହକୁ ଫିଙ୍ଗି ଥିବା ରେଳ ଲାଇନ୍ ବ୍ୟବହାର ହେଉନଥିବା ବେଳେ ଏହା ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଥିଲା । ପୋଲିସ ଏହାର ତଦନ୍ତ କରି ମୁଖ୍ୟ ଅଭିଯୁକ୍ତଙ୍କ ପାଖକୁ ପହଞ୍ଚିଥିଲା । ତେବେ ପୋଲିସ ଏମାନଙ୍କ ଠାରୁ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର, ଏକ ମହିନ୍ଦ୍ରା କେୟୁଭି ଗାଡ଼ି ଓ ଗୋଟିଏ ମୋଟର ସାଇକଲ ଜବତ କରି ସମସ୍ତ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ