ବଲାଙ୍ଗୀର: ପୁଣି ସାମ୍ନାକୁ ଆସିଲା କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା । ଜଣେ ଶିକ୍ଷକ ତଥା ଠିକାଦାର ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି। ବଲାଙ୍ଗୀର ପୁଇଁତଲା ବ୍ଲକର ଗଣମାଧ୍ୟମ ପ୍ରତିନିଧି ରାଧେଶ୍ୟାମ ହାତୀଙ୍କୁ ଆକ୍ରମଣ କରାଯାଇଛି ।
ପୁଇଁତଲା ବ୍ଲକ ଅନ୍ତର୍ଗତ ଠେଲକୋ ମୁଣ୍ଡା ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷକ ନିଜେ ଠିକା କାମ କରି ଏକ ଶୌଚାଳୟ ନିର୍ମାଣ କରୁଥିଲେ । ଯାହା ଅତି ନିମ୍ନ ମାନର କାମ ହେଉଥିବାର ଅଭିଯୋଗ ହୋଇଥିଲା । ପରେ ସାମ୍ବାଦିକ ଜଣଙ୍କ ଖବର ସଂଗ୍ରହ ପାଇଁ ସେଠାକୁ ଯାଇଥିଲେ । ତେବେ ସମ୍ପୃକ୍ତ ଶିକ୍ଷକ କିଛି ଗୁଣ୍ଡାଙ୍କ ସହ ତାଙ୍କୁ ଅତର୍କିତ ଆକ୍ରମଣ କରିବା ସହ ଜୀବନରୁ ମାରି ଦେବାକୁ ପ୍ରୟାସ କରିଥିଲେ।
କୌଶଳ କ୍ରମେ ସାମ୍ବାଦିକ ଜଣକ ସେଠାରୁ ଖସି ପଳାଇ ଆସି ପୁଇଁତଲା ଥାନାରେ ଅଭିଯୋଗ କରିଛନ୍ତି । ସେପଟେ ଏହି ଘଟଣାକୁ ନେଇ ଜିଲ୍ଲାର ସାମ୍ବାଦିକମାନେ ତୀବ୍ର ନିନ୍ଦା ଓ ପ୍ରତିକ୍ରିୟା ପ୍ରକାଶ କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ବଲାଙ୍ଗୀରରୁ ଏସକେ ମହମ୍ମଦ ୱାହିଦ, ଇଟିଭି ଭାରତ