ବଲାଙ୍ଗୀର : ସର୍ବ ଭାରତୀୟ ଜେଇଇ ଆଡଭାନ୍ସ ପରୀକ୍ଷାରେ ବଲାଙ୍ଗୀର କଣ୍ଟାବାଞ୍ଜିର ଦୁଇ ପୁଅ କଲେ କମାଲ । ଏହି ଦୁଇ ଭାଇ ଓଡ଼ିଶାରେ ଟପ୍ କରିଥିବା ବେଳେ ଭାରତୀୟ ସ୍ତରରେ ଟପ୍ ଶହେରେ ରହି ସାରା ଓଡ଼ିଶା ପାଇଁ ଗୌରବ ଆଣିଦେଇଛନ୍ତି ।
କଣ୍ଟାବାଞ୍ଜିର ଅରୁଣ ଡାଲମିଆ ଓ ମମତା ଡାଲମିଆଙ୍କ ପୁଅ ରୋନକ୍ ଡାଲମିଆ ଭାରତରେ 52ନମ୍ବର ର୍ୟାଙ୍କ ରଖି ଥିବାବେଳେ ଓଡ଼ିଶାରେ ପ୍ରଥମ ହୋଇଛନ୍ତି । ସେହିପରି ତାଙ୍କର ସମ୍ପର୍କୀୟ କାକା ଖୁଡି ରାଜେଶ୍ ଡାଲମିଆ ଓ ସୁମନ୍ ଡାଲମିଆଙ୍କ ପୁଅ ମନ୍ଥନ ଡାଲମିଆ ଭାରତରେ 100ନମ୍ବର ର୍ୟାଙ୍କ ରଖିଥିବାବେଳେ ଓଡ଼ିଶାରେ ତୃତୀୟ ସ୍ଥାନରେ ଅଛନ୍ତି ।
ତେବେ ଏହି ଦୁଇ ଭାଇ ଛତିଶଗଡ଼ ଖଡ଼ଗପୁରରୁ ଏହି ପରୀକ୍ଷା ଦେଇଥିଲେ । ବିନା କୌଣସି କୋଚିଂ କିମ୍ବା ଟ୍ୟୁସନରେ ଏମାନେ ଏହି ସଫଳତା ପାଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ବୈଜ୍ଞାନିକ ହେବାର ସ୍ଥିର କରିଥିବାବେଳେ ଆଉଜଣେ କମ୍ପ୍ୟୁଟର ଇଞ୍ଜିନିୟର ହେବାର ସ୍ଥିର କରିଛନ୍ତି । ସେପଟେ ଏହି ଦୁଇ ଭାଇଙ୍କ ସଫଳତାରେ ତାଙ୍କ ପରିବାର ସହ ସାରା ବଲାଙ୍ଗୀରରେ ଖୁସିର ଲହରୀ ଖେଳି ଯାଇଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ