ବଲାଙ୍ଗୀର: ଜିଲ୍ଲାର ଦୌଡ଼ ରାଣୀ ଆନନ୍ଦିନୀ ଦର୍ଜିଙ୍କୁ ରାଷ୍ଟ୍ରପତି ବୟୋଜ୍ୟେଷ୍ଠ ସମ୍ମାନରେ ସମ୍ମାନିତ କରିଛନ୍ତି । ସେ 80 ଦଶକରେ ଦେଶ ପାଇଁ ଆଣିଦେଇଥିଲେ ଗର୍ବ ଓ ଗୌରବ । ଯାହାଙ୍କ ଉପଲବ୍ଧିକୁ ଲୋକେ କ୍ରମଶଃ ଭୁଲି ଯାଇଥିଲେ । ହେଲେ ଏବେ ତାଙ୍କୁ ରାଷ୍ଟ୍ରପତି ସମ୍ମାନିତ କରିବା ପରେ ସେ ଖୁବ ଖୁସି ହୋଇଥିବା ବେଳେ ପୁରୁଣା ଖେଳ ସମୟର ଖୁସି ତାଙ୍କୁ ମିଳିଛି ବୋଲି ଆମ କ୍ୟାମେରା ଆଗରେ ଏକ ସ୍ବତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି ।
ଅନେକ ଥର ସେ ଅନ୍ତର୍ଜାତୀୟ ବା ଜାତୀୟ କ୍ରୀଡ଼ାରେ ଭାଗ ନେଇ ଚମ୍ପିୟାନ ହୋଇଥିଲେ । ଏକ ଗରିବ ପରିବାରରେ ଜନ୍ମ ହୋଇ ମଧ୍ୟ ଅନେକ ବାଧାବିଘ୍ନକୁ ସାମନା କରି ଅନେକ ଥର ଦେଶ ଓ ରାଜ୍ୟକୁ ଗୌରବନ୍ବିତ କରି ଆସିଥିଲେ ।
ବର୍ତ୍ତମାନ ସେ ବୟସର ଅପରାହ୍ନରେ ପହଞ୍ଚିଥିବା ବେଳେ ଲୋକେ ସତେ ଯେମିତି ତାଙ୍କୁ ଭୁଲି ଯାଇଥିଲେ । ହେଲେ ଏବେ ଗତ 3 ତାରିଖରେ ରାଷ୍ଟ୍ରପତି ଭବନରେ ମହାମହିମ ତାଙ୍କୁ ବୟୋଜ୍ୟେଷ୍ଠ ସମ୍ମାନରେ ସମ୍ମାନିତ କରିଛନ୍ତି । ଯେଉଁଥିରେ ସେ ଖୁବ ଖୁସି ହୋଇ ଭାବବିହ୍ବଳ ହୋଇପଡିଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ