ବଲାଙ୍ଗୀର: ଧାନକିଣାରେ ଅବ୍ୟବସ୍ଥା ଅଭିଯୋଗ । ଜିଲ୍ଲାରେ ଧାନ କିଣା ଆରମ୍ଭ ହୋଇଥିବା ବେଳେ ଏଥିରେ ଅନିୟମିତତାକୁ ଅଭିଯୋଗ କରିଛନ୍ତି ଚାଷୀ । ଧାନରେ କଟନୀ ଛଟନୀକୁ ବିରୋଧ କରି ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ଯେଉଁଥିରେ ପୁଇଁତଲା ବ୍ଲକର ଶତାଧିକ ଚାଷୀ ସ୍ଥାନୀୟ ମଳମୁଣ୍ଡା ଗ୍ରାମ ଠାରେ ଖୋର୍ଦ୍ଧା ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ।
ସୂଚନା ମୁତାବକ, ନଭେମ୍ବର 25 ତାରିଖରୁ ଜିଲ୍ଲାରେ ଧାନ କିଣା ଆରମ୍ଭ ହୋଇଥିଲା । ଏନେଇ ଜିଲ୍ଲା ଧାନ କ୍ରୟ କମିଟି ବୈଠକରେ କଟଣୀ ଛଟନୀ ହେବ ନାହିଁ ଓ ତାହା ସହିତ ଚାଷୀଙ୍କୁ ଅଖା ବସ୍ତା ଟଙ୍କା ଦିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା । ହେଲେ ଏହାର ଓଲଟା ଦେଖିବାକୁ ମିଳିଛି ବଲାଙ୍ଗୀର ପୁଇଁତଲା ବ୍ଲକରେ । 14 ପେକ୍ସରେ କ୍ୟୁଣ୍ଟାଲ ପିଛା 4 ରୁ ପାଞ୍ଚ କେଜି ଧାନ କଟନୀ କରାଯାଉଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି । ଏଥିସହ ଏହାକୁ ନେଇ ଏମାନେ ପ୍ରଶାସନକୁ ଜଣାଇଥିବା ସତ୍ତ୍ବେ ତାହା ସମାଧାନ ହୋଇ ନ ଥିବାର ଏମାନେ କହିଛନ୍ତି । ସମାନ ଭାବରେ ଏଠି ମିଲର୍ସ ମାନେ ତାଙ୍କର ମନମାନି କରୁଥିବା ବେଳେ ଚାଷୀ ହଇରାଣ ହେଉଥିବାର ଏମାନେ ଅଭିଯୋଗ କରିଛନ୍ତି ।
ଅନ୍ୟପଟେ ଏହାକୁ ନେଇ ଏହି ଅଞ୍ଚଳର ଶତାଧିକ ଚାଷୀ ରାସ୍ତାରୋକ କରିବା ସହ ଧାରଣ ଦେଇ କରୁଛନ୍ତି ଆନ୍ଦୋଳନ । ଯାହା ଫଳରେ ବଲାଙ୍ଗୀର ଖୋର୍ଦ୍ଧା ଜାତୀୟ ରାଜପଥ ଦେଇ ଯାନ ବାହାନ ଚଳାଚଳ ବାଧା ପ୍ରାପ୍ତ ହୋଇଛି । ସେପଟେ ସ୍ଥାନୀୟ ତହସିଲଦାର, ଯୋଗାଣ ବିଭାଗ ଅଧିକାରୀ, ଡ଼ିଆରସିଏସ ଓ ବଲାଙ୍ଗୀର ଉପଜିଲ୍ଲାପାଳ ଆନ୍ଦୋଳନ ସ୍ଥଳରେ ଚାଷୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି ।
ଇଟିଭି ଭାରତ, ବଲାଙ୍ଗୀର