ବଲାଙ୍ଗୀର: ପୁଣି ହାତୀ ଆତଙ୍କ । ଜଣେ ବୃଦ୍ଧାଙ୍କୁ ଦଳି ଦେଲା ଦନ୍ତା ହାତୀ। ପାଟଣାଗଡ଼ ରେଞ୍ଜ ଅଧୀନ ଲଡଙ୍ଗାଭଟା ଗାଁରେ ଦନ୍ତାହାତୀର ବର୍ବର କାଣ୍ଡ। ଦନ୍ତା ହାତୀ ଗାଁରେ ପଶିବା ସହ ଘର ଭାଙ୍ଗି ଖାଦ୍ୟ ସାମଗ୍ରୀ ନଷ୍ଟ କରିଥିବାର ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ବନବିଭାଗ ଓ ଲରମ୍ଭା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।
ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ରେଞ୍ଜ ଅଧୀନସ୍ଥ ଲରମ୍ଭା ଅନ୍ତର୍ଗତ ଫଟାମୁଣ୍ଡା ପଞ୍ଚାୟତର ଲଡଙ୍ଗାଭଟା ଗାଁରେ ଆତଙ୍କ ସୃଷ୍ଟି କରିଛି ଦନ୍ତା ହାତୀ। ଗତକାଲି ରାତି 2ଟା ସମୟରେ ସେହି ଗାଁର ମାର୍କଣ୍ଡ ଷାଣ୍ଡ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଦନ୍ତା ହାତୀଟି ଧାନ ଚାଉଳର ବାସ୍ନା ପାଇ ଘର ଭାଙ୍ଗି ଚାଉଳ ଖାଇଥିଲା। ତାକୁ ଘଉଡ଼ାଇବାକୁ ଚେଷ୍ଟା କରିବାରୁ ମାର୍କଣ୍ଡଙ୍କ ସ୍ତ୍ରୀଙ୍କୁ ପାଦରେ ଦଳି ମାରି ଦେଇଥିଲା। ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ବନବିଭାଗ ଓ ଲରମ୍ଭା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବିଗତ 6ରୁ 7ବର୍ଷ ହେବ ଏକ ଦନ୍ତା ହାତୀଟି ହାତୀ ପଳରୁ ଅଲଗା ହୋଇ ଉଗ୍ର ହୋଇପଡ଼ିବା ଜଣାପଡ଼ିଛି । ବରଗଡ଼ ଜିଲ୍ଲା ପଦ୍ମପୁର ରେଞ୍ଜଠାରୁ ପାଟଣାଗଡ଼ ଦେଇ ସୋନପୁର ଜିଲ୍ଲା ରେଞ୍ଜ ପର୍ଯ୍ୟନ୍ତ ଏହାର ଚଲାପଥ ରହିଛି ।
ସେପଟେ ଗତ କାଲି ସନ୍ଧ୍ୟା ସମୟରେ ବରଗଡ଼ ଗାଇସିଲେଟ ଅଞ୍ଚଳରୁ ଲରମ୍ଭା କୁ ହାତୀଟି ଆସିଥିବା ବନବିଭାଗ ଜାଣିବାକୁ ପାଇଛି । ପୂର୍ବରୁ ପଦ୍ମପୁର, ଗାଇସିଲେଟ, ଲୋଇସିଂହା ଓ ଖପ୍ରାଖୋଲ ଅଞ୍ଚଳରେ ଲୋକଙ୍କୁ ଆକ୍ରମଣ କରି ଜୀବନ ନେଇସାରିଛି । ତେବେ ଘଟଣାସ୍ଥଳକୁ ପାଟଣାଗଡ଼ ରେଞ୍ଜର ରାଜକୃଷ୍ଣ ଭୋଇ ଓ ଫରେଷ୍ଟର ଭାଗବତ ଦାସ ପହଞ୍ଚି ସରକାରୀ ନିୟମ ଅନୁଯାୟୀ ବନ୍ୟପ୍ରାଣୀ ଅନୁକମ୍ପା ରାଶି 4ଲକ୍ଷ୍ୟ ଟଙ୍କା ଦେବାକୁ ସୂଚନା ଦେଇଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ