ବଲାଙ୍ଗୀର: ରାଜ୍ୟରେ ଅନେକ ସ୍ଥାନରେ ହାତୀ ଉପଦ୍ରବ ବଢିବାରେ ଲାଗିଛି । ଧାନ ଫସଲ ଖାଇବାକୁ ଗାଁ ମୁହାଁ ହେବାରେ ଲାଗିଛନ୍ତି ହାତୀ ପଲ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ତୁରେଇକେଲା ବ୍ଲକର କୁଇବାହାଲ, ପଣ୍ଡରେନ, ପଖନମୁଣ୍ଡା, ମାନ୍ଦଳା, ସମରସିଂ, ମହଖଣ୍ଡ, ବାଞ୍ଜିପାଳି ଗାଁମାନଙ୍କରେ ଦେଖିବାକୁ ମିଳିଛି । ସୂଚନାନୁସାରେ ଏକ ୧୫ ଟିକିଆ ହାତୀପଲ କିଛି ଦିନ ହେବ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇବାରେ ଲାଗିଛନ୍ତି ।
ଆଉ ଏହି ହାତୀପଲ ବଗବାହାଲ ଗାଁର ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗିଥିବା ନେଇ ସୂଚନା ମିଳିଛି । ତେବେ ପରିବାର ଲୋକଙ୍କ କହିବା ଅନୁସାରେ ୧୫ ଟିକିଆ ହାତୀପଲ ଘର ଚାରିପଟେ ବୁଲିବା ସହ ଘର ଭାଙ୍ଗିଥିବା ଦେଖିବାକୁ ମିଳିଛି । ସେପଟେ ରାତି ସମୟରେ ହାତୀମାନେ ଚିତ୍କାର କରୁଥିବା ଶୁଣି ଭୟରେ ସ୍ଥାନୀୟ ଲୋକେ ପରିବାର ସହ ଅନ୍ୟତ୍ର ପଳାଉଥିବା କହିଛନ୍ତି । ତେବେ କିଛି କିଛି ସ୍ଥାନରେ ଘର ଭାଙ୍ଗିବା ପରେ ହାତୀମାନେ ଜଙ୍ଗଲ ଅଭିମୁଖେ ଯାଇଥିବା ସମୟରେ ଆଖପାଖ ଅଞ୍ଚଳର ଲୋକେ ଭୟରେ ଜୀବନ ବିତାଉଛନ୍ତି ।
ଖାଲି ଯେ ବଗବାହାଲ ଗାଁରେ ଘର ଭାଙ୍ଗି ନାହାନ୍ତି, ଏକର ଏକର ଧାନ ଫସଲ ନଷ୍ଟ କରିବା ସହ ଅନେକ କପା ଚାଷୀଙ୍କ ବିଲରେ ପଶି ମାଡି ମକଚି ଗଛ ଗୁଡିକୁ ନଷ୍ଟ କରିଦେଉଥିବା ଦେଖିବାକୁ ମିଳିଛି । ତା ସହିତ ଅନେକ କପା ଚାଷୀଙ୍କ ବିଲରେ ପଶି ମାଡି ଦଳି ଚକଟି ନଷ୍ଟ କରିଛନ୍ତି। ପୂର୍ବରୁ ମଧ୍ୟ କୁଇବାହାଲ ଗାଁରେ ଧାନ ଚାଷ ନଷ୍ଟ ସାଙ୍ଗକୁ ଖଳାରେ ଥିବା ଧାନ ଗଦାକୁ ହାତୀପଲ ଖାଇଦେଇଥିବା ନେଇ ସୂଚନା ମିଳିଛି ।
ତେବେ ଏହି ଘଟଣାରେ କଣ୍ଟାବାଞ୍ଜି ରେଞ୍ଜର ଅଧିକାରୀ ଜଣକ କହିଛନ୍ତି କି ହାତୀପଲଙ୍କୁ ଘଉଡାଇବା ପାଇଁ ବନବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଦଳ ଗଠନ କରାଯିବା ସହ ହାତୀପଲ ଦ୍ବାରା କ୍ଷତିଗ୍ରସ୍ତ ଚାଷୀଙ୍କ ଠାରୁ ଅଭିଯୋଗ ପାଇଲେ ତୁରନ୍ତ ଅନୁକମ୍ପା ରାଶି ଯୋଗାଇ ଦିଆଯିବ ବୋଲି କହିଛନ୍ତି ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ