ବଲାଙ୍ଗୀର: ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ପିଇବାକୁ ବିଶୁଦ୍ଧ ପାଣି ପାଉ ନାହାନ୍ତି ଲୋକେ । ପାଣି ନମୁନା ପରୀକ୍ଷଣରୁ ଏହା ପିଇବା ଯୋଗ୍ୟ ନଥିବା ଜଣା ପଡ଼ିଥିଲେ ମଧ୍ୟ ପ୍ରଶାସନ କୌଣସି ବ୍ୟବସ୍ଥା କରୁନଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି, ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ମହେଲେଇ ପଞ୍ଚାୟତର ବଳାରପାଳି ଗ୍ରାମରୁ ।
ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତୀ ଉପଲକ୍ଷେ ଦେଶ ଅମୃତ ମହୋତ୍ସବ ପାଳୁଥିବାବେଳେ ବଲାଙ୍ଗୀର ଜିଲ୍ଲାରେ ଅନେକ ଗ୍ରାମାଞ୍ଚଳରେ ବିଶୁଦ୍ଧ ପିଇବା ପାଣି ସାତ ସପନ । କିଛି ଗ୍ରାମରେ ଲୋକ ଜଳ ବଦଳରେ ଜହର ପିଉଥିବାର ଅଭିଯୋଗ କରିଛନ୍ତି । ତେବେ ବଲାଙ୍ଗୀର ଦେଓଗାଁ ବ୍ଲକ ଅନ୍ତର୍ଗତ ମହେଲେଇ ପଞ୍ଚାୟତର ବଳାରପାଳି ଗ୍ରାମରେ ପ୍ରାୟ ୧୫ ଶହରୁ ଅଧିକ ଲୋକ ବସବାସ କରୁଥିବା ବେଳେ ପିଇବା ପାଣି ପାଇଁ ମାତ୍ର ୧୦ ଟି ନଳକୂପ ଅଛି । ଏହି ସବୁ ନଳକୂପର ପାଣି ଲୋକେ ନିୟମିତ ବ୍ୟବହାର କରୁଥିବା ବେଳେ ଅନେକ ପାଣି ଜନିତ ରୋଗରେ ଆକ୍ରାନ୍ତ ଥିବାର କହିଛନ୍ତି ।
ଏମାନଙ୍କ ଅଭିଯୋଗ ପରେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ସବୁ ନଳକୂପର ପାଣି ନମୁନା ସଂଗ୍ରହ କରି ପରୀକ୍ଷଣ କରିଥିଲେ । ଏଥିରୁ ସବୁ ମହଜୁଦ ଥିବା ନଳକୂପରୁ ଫ୍ଲୋରାଇଡ, ଲୁହା ଭଳି ଧାତୁ ଅଧିକ ଥିବାର ରିପୋର୍ଟ ଆସିଥିଲା । ସେହିପରି ଅନେକ ନଳକୂପର ପାଣି ସଂକ୍ରମୀତ ଥିବାର ମଧ୍ୟ ରିପୋର୍ଟରେ ଦର୍ଶାଯାଇଛି । ସେପଟେ ଏହି ସବୁ ରିପୋର୍ଟ ଆସିବା ପରେ ସଂପୃକ୍ତ ଗାଁକୁ କିଛି ଦିନ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଉଥିଲା । ହେଲେ ଏବେ ତିନି ମାସ ହେବ ଆଉ ବିଶୁଦ୍ଧ ପାଣି ଯୋଗାଇ ଦିଆଯାଉନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତ । ସେହିପରି ଗାଁରେ ସ୍ଥାୟୀ ବିଶୁଦ୍ଧ ପାଣି ବ୍ୟବସ୍ଥା କରିବା ପାଇଁ ଦାବି କରିବା ସହ ଜିଲ୍ଲାପାଙ୍କ ଠାରେ ନିବେଦନ କରିଛନ୍ତି । ଦାବି ପୂରଣ ନହେଲେ ଆଗକୁ ତୀବ୍ର ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ଗ୍ରାମବାସୀ ।
ଇଟିଭି ଭାରତ, ବଲାଙ୍ଗୀର