ବଲାଙ୍ଗୀର : ପୁଣି ତେଜିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି । ପଶ୍ଚିମ ଓଡ଼ିଶାର ଯେକୌଣସି ସ୍ଥାନରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରିବାକୁ ବଲାଙ୍ଗୀର ଜିଲ୍ଲାର କ୍ରିୟା ଅନୁଷ୍ଠାନ କମିଟି ଦାବି କରିଛି । ଏନେଇ ଆନ୍ଦୋଳନକୁ ଓହ୍ଲାଇଛି କମିଟି ।
ଆନ୍ଦୋଳନରେ ସାମିଲ ହୋଇଛନ୍ତି ସବୁ ରାଜନୈତିକ ଦଳ ଓ ସଂଗଠନ । ଖାଲି ସେତିକି ନୁହେଁ ବଲାଙ୍ଗୀର କ୍ରିୟା ଅନୁଷ୍ଠାନ କମିଟିର ଆହ୍ୱାନରେ ଆଜି ଜିଲ୍ଲାର ସବୁ ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଛି । ଓଡ଼ିଶାରେ ପାଟଣା ରାଜ୍ୟ ବିଲୀନ ହେବା ପରଠୁ ଏଠି ହାଇକୋର୍ଟ ବେଞ୍ଚ ଦାବି ନେଇ ଆନ୍ଦୋଳନ ହୋଇ ଆସୁଛି । ପୂର୍ବରୁ ବଲାଙ୍ଗୀରରେ ହାଇକୋର୍ଟ ଥିବା ବେଳେ ଓଡ଼ିଶାରେ ଏହା ମିଶିବା ପରେ ଏହାକୁ କଟକ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଏହାକୁ ସେ ସମୟରେ ମଧ୍ୟ ବିରୋଧ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏଠି ସ୍ଥାୟୀ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବି ନେଇ ବିଭିନ୍ନ ସଂଗଠନ ଦାବି କରି ଆସୁଛନ୍ତି ।
ସେହିପରି ଏହାକୁ ନେଇ ଗଠିତ ହୋଇଥିବା ଯଶବନ୍ତ ସିଂ କମିଶନ ଓ ପାଳ କମିଶନ ଗଠିତ ହୋଇ ସରକାରଙ୍କୁ ରିପୋର୍ଟ ମଧ୍ୟ ଦିଆଯାଇଛି । ଏହା ଦଶନ୍ଧି ବିତି ଯାଇଥିଲେ ସୁଦ୍ଧା କେନ୍ଦ୍ର ଓ ରାଜ୍ୟ ସରକାର ଚୁପ୍ ବସି ପରସ୍ପର ଉପରେ ଦୋଷ ଲଦି ଚାଲିଛନ୍ତି । ଯାହାକୁ ନେଇ ଏଠିକାର ଲୋକେ ଅସନ୍ତୁଷ୍ଟ ଥିବା ବେଳେ ଆନ୍ଦୋଳନ ମଧ୍ୟ କରୁଛନ୍ତି । ଏହି କ୍ରମରେ ଆଜି ବଲାଙ୍ଗୀର ଏକ୍ସନ କମିଟି ଏଠି ଅସହଯୋଗ ଆନ୍ଦୋଳନ କରିଛି । ବଲାଙ୍ଗୀର ଜିଲ୍ଲାର କ୍ରିୟା ଅନୁଷ୍ଠାନ କମିଟିର ଆନ୍ଦୋଳନ ଯୋଗୁଁ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କୋର୍ଟ କଚେରୀ, ବ୍ୟାଙ୍କ, ପୋଷ୍ଟ ଅଫିସ ସହ ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ସେହିପରି କମିଟି ପକ୍ଷରୁ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଧାରଣା ଦିଆଯିବା ସହ ପ୍ରତିବାଦ କରାଯାଉଛି ।
ବଲାଙ୍ଗୀର ଜିଲ୍ଲାର କ୍ରିୟା ଅନୁଷ୍ଠାନ କମିଟିର ଆନ୍ଦୋଳନରେ ବଲାଙ୍ଗୀରର ବିଜେଡି, ବିଜେପି, କଂଗ୍ରେସ ଦଳ, ଆଦିବାସୀ ସଂଗଠନ ସମେତ ଶତାଧିକ ସଂଗଠନ ସାମିଲ ହୋଇଛନ୍ତି । ସମସ୍ତେ ଗୋଟିଏ ସ୍ୱରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବି କରିଛନ୍ତି । ଏନେଇ ବଲାଙ୍ଗୀର କ୍ରିୟା ଅନୁଷ୍ଠାନ ସଭାପତି ଗୋପାଳ ପାଣିଗ୍ରାହୀ କହିଛନ୍ତି, ''ଏ ଆନ୍ଦୋଳନ ହେଉଛି ଏକ ଅସହଯୋଗ ଆନ୍ଦୋଳନ । ଯେଉଁଥି ପାଇଁ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ଏବଂ କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟ, ବ୍ୟାଙ୍କ, ବୀମା, ପୋଷ୍ଟ ଅଫିସ ଏ ସବୁକୁ ଆମେ ବନ୍ଦ ରଖିଛୁ ।
ସରକାରୀ ଅଫିସ, ବ୍ୟାଙ୍କ ବନ୍ଦ ରହିଥିବା ବେଳେ ଦୋକାନ, ସ୍କୁଲ, କଲେଜ ସବୁ ସ୍ବାଭାବିକ ଅଛି । ଆମେ ଦାବି କରୁଛୁ ୧୯୪୦ ମସିହାରେ ପାଟଣା ହାଇକୋର୍ଟ ଥିଲା ସେ ହାଇକୋର୍ଟକୁ ଆମକୁ ଫେରାଇ ଦିଆଯାଉ । ଏନେଇ ଦୀର୍ଘ ବର୍ଷ ହେବ ଦାବି ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନି । ତେବେ ଆଜି ଏହି ଆନ୍ଦୋଳନ ଆରମ୍ଭ ହୋଇଛି । ଆଗାମୀ ଦିନରେ ଏହା ଉଗ୍ର ରୂପ ନେବ ।''
ଇଟିଭି ଭାରତ, ବଲାଙ୍ଗୀର