ବଲାଙ୍ଗୀର: ବଲାଙ୍ଗୀରରୁ ଯାଉନି ଦାଦନ ଦୁଃଖ । ପୁଣି କିଛି ଦାଦନ ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗ ହୋଇଛି । ଏପରିକି ସେମାନଙ୍କୁ ହତ୍ୟା ଧମକ ମିଳିବା ପରେ ତିନି ଦାଦନ ପରିବାର ଗାଁ ଛାଡ଼ି ଥିବାର ଆସିଛି ଗୁରୁତର ଅଭିଯୋଗ । ସୂଚନା ମୁତାବକ, ବଲାଙ୍ଗୀର ବେଲାପଡ଼ାର 3 ଗରିବ ପରିବାର ନିଜ ପେଟପାଟଣା ପାଇଁ ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିଲେ। ତେବେ ଏଥି ପାଇଁ ସେମାନେ ବେଲାପଡ଼ାର ଜଣେ ଦାଦନ ସର୍ଦ୍ଦାର ପ୍ରଦୀପ ତାଣ୍ଡି ଠାରୁ ଅଗ୍ରୀମ ଟଙ୍କା ମଧ୍ୟ ନେଇଥିଲେ । ଏଥିସହିତ ଦାଦନ ସର୍ଦ୍ଦାର ତାଙ୍କୁ ରାଜ୍ୟ ବାହାର ଇଟାଭାଟିରେ ଛାଡ଼ି ଦେଇ ଆସିଥିବା ବେଳେ ସେଠାରେ ଇଟାଭାଟି ମାଲିକ ସେମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ଦେଇଥିଲା । ସେହିପରି ସେମାନେ କାମ କରି ପାରୁନଥିବା କହି ସମସ୍ତଙ୍କୁ ଟ୍ରେନ ଯୋଗେ ବଲାଙ୍ଗୀର ପଠାଇ ଦେଇଥିଲା।
ସେପଟେ ଏମାନେ ବଲାଙ୍ଗୀର ପହଞ୍ଚିବା ପରେ ଏଠାକାର ଦାଦନ ସର୍ଦ୍ଦାର ପ୍ରଦୀପ ତାଣ୍ଡି ସେମାନଙ୍କୁ ଟଙ୍କା ଫେରସ୍ତ କରିବାକୁ କହିଥିଲା । ହେଲେ ଏମାନେ ସେସବୁ ଟଙ୍କା ଖର୍ଚ୍ଚ କରି ଦେଇ ଥିବାର କହି କିଛି ସମୟ ମାଗି ଥିଲେ ସୁଦ୍ଧା ଦାଦନ ସର୍ଦ୍ଦାର ଗୁଣ୍ଡା ଆଣି ଏମାନଙ୍କୁ ବାରମ୍ବାର ମାରପିଟ୍ କରିଥିଲା । ସେହିପରି ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଥିବା ବେଳେ ଏହି 3 ଦାଦନ ପରିବାର ବାଧ୍ୟ ହୋଇ ନିଜ ବେଲୋପଡ଼ା ଗ୍ରାମ ଛାଡ଼ି ପାଟଣାଗଡ ସିଆଲବନ୍ଦ ଗ୍ରାମରେ ଆସି ଅସହାୟ ଭାବରେ ଅଛନ୍ତି । ଏମାନେ ସାହାଯ୍ୟ ପାଇଁ ପାଟଣାଗଡ଼ ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି । ସେପଟେ ପାଟଣାଗଡ଼ ଶ୍ରମ ଅଧିକାରୀ ଏହାର ତଦନ୍ତ କରୁଥିବା ବେଳେ ଏଯାଏଁ ଏମାନଙ୍କୁ କୌଣସି ସହାୟତା ମିଳି ନ ଥିବା ଜଣା ପଡ଼ିଛି।
ସେହିପରି ଦେଓଗାଁ ବ୍ଲଭଞ୍ଜ ପଡ଼ା ଗ୍ରାମର ଦୁଇ ଗରିବ ଭାଇ ଶକ୍ତି କୁମାର ନନ୍ଦ ଓ ଖାଜିରା ନନ୍ଦ ପେଟପାଟଣା ପାଇଁ କଣ୍ଟାବାଞ୍ଜିର ଜଣେ ଦାଦନ ଦଲାଲଠାରୁ ଅଗ୍ରୀମ 1 ଲକ୍ଷ 95 ହଜାର ଟଙ୍କା ନେଇଥିଲେ । ସର୍ତ୍ତ ମୁତାବକ ସେମାନେ ନିଜ ପରିବାରର ସମସ୍ତ ସଦସ୍ୟଙ୍କୁ ନେଇ ହାଇଦ୍ରାବାଦ ଇଟା ଭାଟିକୁ ଯାଇଥିଲେ । ସେଠାରେ କିନ୍ତୁ ପହଞ୍ଚିବା ପରେ ଭାଟି ମାଲିକ ଏବେ ତାଙ୍କ ପାଇଁ କାମ ନଥିବା କହିବା ସହ ଫେରି ଯିବାକୁ କହିଥିଲା । ଏଥିସହ ଅଗ୍ରୀମ ନେଇଥିବା ଟଙ୍କା ଫେରସ୍ତ କରିବାକୁ କହିଥିଲା । କିନ୍ତୁ ଧାର ଟଙ୍କା ଖର୍ଚ୍ଚ ହୋଇଯାଇଥିବା କହି କାମ କରିବାକୁ ଭାଟି ମାଲିକଙ୍କୁ ନେହୁରା ହୋଇଥିଲେ ଦୁଇ ଭାଇ । ଏକଥା ଶୁଣିବା ପରିବର୍ତ୍ତେ ଭାଟି ମାଲିକ ଦୁଇ ଭାଇଙ୍କ ପରିବାରର ଦୁଇ ମହିଳା ଜଣେ ଶିଶୁ ଓ ଦୁଇଜଣ ପୁରୁଷକୁ ବନ୍ଦୀ କରିଥିବା ଜଣାପଡିଛି ।
ଇଟିଭି ଭାରତ, ବଲାଙ୍ଗୀର