ବଲାଙ୍ଗୀର: ଜିଲ୍ଲାରେ କୋରୋନା ଅଣାୟତ୍ତ ହୋଇଥିବାବେଳେ ଆଜି ସର୍ବାଧିକ 92 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯେଉଁଥିରେ ବଲାଙ୍ଗୀର ସହରର ବିଭିନ୍ନ ଅଞ୍ଚଳରୁ 20 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେପଟେ ଗ୍ରାମାଞ୍ଚଳରେ ଲୋଇସିଂହା ଆଗଲପୁର ଓ ଫାସଡ଼ ଗ୍ରାମ ଏବେ କୋରୋନା ହଟସ୍ପଟ ପାଲଟିଛି ।
ଯେଉଁଥିରେ ଆଗଲପୁରରେ ଆଜି 12 ଜଣ, ଲୋଇସିଂହାରୁ 11 ଜଣ ଓ ଫାସଡ଼ ଗ୍ରାମରୁ 23 ଜଣ କୋରୋନା ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଚନ୍ଦନ ଭାଟି ଗ୍ରାମରୁ 9 ଜଣ, ପୁଇଁନ୍ତଳାରୁ 4 ଜଣ, ଖପ୍ରାଖୋଲରୁ ୩ ଜଣ, ଦେଓଗାଁ ରୁ ଚାରି ଜଣ ଓ ଟିଟିଲାଗଡ଼ରୁ ଦୁଇ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ତେବେ ଏହାକୁ ମିଶାଇ ବଲାଙ୍ଗୀର ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 880 ରେ ପହଞ୍ଚିଛି। ସେଥିମଧ୍ୟରୁ 553 ଜଣ ସୁସ୍ଥ ହୋଇଥିବାବେଳେ 327 ଜଣ ଆକ୍ଟିଭ ମାମଲା ରହିଛି । ସେପଟେ ଦୈନିକ ବର୍ତ୍ତମାନ ତିନି ହଜାର ସ୍ବାବ ପରୀକ୍ଷଣ ହେଉଥିବାବେଳେ ଅଧିକ କୋରୋନା ଆକ୍ରାନ୍ତ ଚିହ୍ନଟ ହେବାର ସମ୍ଭାବନା ରହିଛି ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ