ବଲାଙ୍ଗୀର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମରେ ସାମିଲ ହେବେନି ନରସିଂହ । କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ପରିକ୍ରମା କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପରିକ୍ରମା ପ୍ରକଳ୍ପ ଅସମ୍ପୂର୍ଣ୍ଣ ସତ୍ତ୍ବେ ଲୋକାର୍ପଣ କରୁଥିବାରୁ ସେ ଏଥିରେ ସାମିଲ ହେବେ ନାହିଁ ବୋଲି କହିଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସରକାରଙ୍କୁ ଘେରିଲେ ନରସିଂହ । ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ରାଜ୍ୟ ସରକାର ରାଜନୀତି କରୁଥିବା ସେ ଅଭିଯୋଗ କରିଛନ୍ତି । ତେଣୁ ସେ ନିମନ୍ତ୍ରଣ ପାଇଥିଲେ ବି ସାମିଲ ହେବେନାହିଁ ବୋଲି କହିଛନ୍ତି ।
ଆସନ୍ତା ୧୭ ତାରିଖରେ ଲୋକାର୍ପଣ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏହି ଭବ୍ୟ କାର୍ଯ୍ୟକ୍ରମ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ପୂଜାବିଧି । ଏହି କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ମିଳିଛି ନିମନ୍ତ୍ରଣ । ସରକାରୀ ଦଳ ସମେତ ବିରୋଧୀ ଦଳର ମଧ୍ୟ ସମସ୍ତ ବରିଷ୍ଠ ନେତା ତଥା ବିଧାୟକ ଓ ସାଂସଦଙ୍କୁ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସାମିଲ ହେବାକୁ ମିଳିଛି ନିମନ୍ତ୍ରଣ । ତେବେ ଏହାକୁ ନେଇ ରାଜନୀତି ମଧ୍ୟ ତେଜିଛି । ରାଜ୍ୟ ସରକାର ମହାପ୍ରଭୁଙ୍କ ନାଁରେ ରାଜନୀତି ତଥା ଦଳୀୟ ପ୍ରଚାର କରୁଥିବା ବାରମ୍ବାର ବିରୋଧୀ ଅଭିଯୋଗ କରିଆସୁଛନ୍ତି । ଏପରିକି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଜଗନ୍ନାଥଙ୍କ ନାମରେ ସରକାର ରାଜନୀତି କରୁଥିବା ଅଭିଯୋଗ କରି ଏହାକୁ ନାପସନ୍ଦ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ପରିକ୍ରମା ପ୍ରକଳ୍ପ ଉଦଘାଟନ ପାଇଁ ଉତ୍ସବ ମୁଖର ପୁରୀ, ଜଗିଛନ୍ତି 44 ପ୍ଲାଟୁନ ଫୋର୍ସ
ନରସିଂହ କହିଛନ୍ତି, "ରାଜ୍ୟ ସରକାରଙ୍କର ଗୋଟିଏ ଅଭ୍ୟାସ ହୋଇଗଲାଣି ଅସମ୍ପୂର୍ଣ୍ଣ କାର୍ଯ୍ୟ ଉଦ୍ଘାଟନ କରିବା । ବଲାଙ୍ଗୀର ସୁକତେଲ ଓ ସ୍ମାର୍ଟ ପାର୍କ ନିର୍ମାଣ କାର୍ଯ୍ୟ ଅଧୁରା ହୋଇ ଲୋକାର୍ପଣ କରାଯାଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ମଧ୍ୟ ଅଧୁରା ହୋଇଥିବାବେଳେ ଏହାକୁ ଲୋକାର୍ପଣ କରାଯିବ । ଏବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମ ପାଇଁ ଗାଁକୁ ଗାଁ ଯେଭଳି ରଥ ବୁଲାଯାଉଛି, ତାହାକୁ ନାପସନ୍ଦ କରୁଛି । ସରକାର ଓ ସରକାରୀ ଦଳ ଜଗନ୍ନାଥଙ୍କୁ ଭିକାରୀ କରିଦେଇଛନ୍ତି । ଜଗନ୍ନାଥ ସମସ୍ତଙ୍କୁ ସବୁ ଦିଅନ୍ତି । ହେଲେ ଏମାନେ ଜଗନ୍ନାଥଙ୍କ ନାଁରେ ଘରକୁ ଘର ବୁଲି ଚାଉଳ ମାଗୁଛନ୍ତି । ଏହା ଦୁର୍ଭାଗ୍ୟଜନକ କଥା । ଧର୍ମ ନାଁରେ ରାଜନୀତି କରୁଥିବା ନବୀନ ବାବୁ ବୋଧହୁଏ ଓଡ଼ିଶାରେ ସଫଳ ହେବେ ନାହିଁ । କାରଣ ଓଡ଼ିଶାରେ ଜାତି ଧର୍ମ ନାଁରେ ରାଜନୀତି ହୁଏନାହିଁ । ଆଗାମୀ ନିର୍ବାଚନରେ ଏହାର ଓଲଟା ପ୍ରଭାବ ପଡ଼ିବ ।" ତେବେ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲେ ବି ଅଧୁରା ପ୍ରକଳ୍ପକୁ ଉଦ୍ଘାଟନ କରାଯାଉଥିବାରୁ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ ନାହିଁ ବୋଲି କହିଛନ୍ତି ବିଧାୟକ ନରସିଂହ ମିଶ୍ର ।
ଇଟିଭି ଭାରତ, ବଲାଙ୍ଗୀର