ବଲାଙ୍ଗୀର: ବଲାଙ୍ଗୀର ମୁହାଁ ଛତିଶଗଡ଼ି ହାତୀ ପଲ । ହାତୀପଲକୁ ଦେଖି ଭୟଭୀତ ହୋଇ ପଡ଼ିଛନ୍ତି ସ୍ଥାନୀୟ ଲୋକେ (Elephant fear in Balangir)। ତେବେ ହାତୀ ଯେପରି କୌଣସି କ୍ଷତି ନଘଟାଏ ସେଥିପାଇଁ ହାତୀ ପଲକୁ ଘଉଡାଉଛି ବନ ବିଭାଗ । ସୂଚନାନୁସାରେ ବଲାଙ୍ଗୀର ସହର ମୁହାଁ ହୋଇଛନ୍ତି ଦୁଇ ଟିକିଆ ଛତିଶଗଡ଼ି ହାତୀ ପଲ । ଜିଲ୍ଲା ଖପ୍ରାଖୋଲ ସ୍ଥିତ ଗନ୍ଧମାର୍ଦ୍ଧନ ପାହାଡ଼ ତଳି ଅଞ୍ଚଳରେ ଏହି ହାତୀ ପଲ ବୁଲୁଛନ୍ତି ।
ଏହି ଅଞ୍ଚଳରେ ଥିବା ଲାଠୋର ଅଞ୍ଚଳକୁ ମଧ୍ୟ ରାତିରେ ପଶୁଛନ୍ତି । ତେବେ ଏହି ହାତୀପଲ କୌଣସି କ୍ଷୟକ୍ଷତି କରି ନଥିବା ବେଳେ ଲୋକେ କିନ୍ତୁ ଭୟଭୀତ ଅଛନ୍ତି । ସେହିପରି ଏହି ହାତୀପଲ ଆଖପାଖ ଗାଁ ଭିତରକୁ ପଶି ଚାଷ ଓ ଘର ନଷ୍ଟ କରୁଥିବାର ଅଭିଯୋଗ ଆସିଛି । ଅନ୍ୟପଟେ ବଲାଙ୍ଗୀର ବନ ବିଭାଗ ଏହି ହାତୀଙ୍କ ଗତି ବିଧି ଉପରେ ନଜର ରଖିଥିବା ବେଳେ ଘଉଡାଇବା ପାଇଁ ମଧ୍ୟ ଉଦ୍ୟମ ଜାରି ରଖିଛି । ସମାନ ଭାବରେ ଡାକ ବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ରାତିରେ ଘରୁ ନବାହାରିବାକୁ ସଚେତନ କରୁଛି । ଏହାସହ ଏହି ଅଞ୍ଚଳ ଦେଇ ଯାଇଥିବା ଉଚ୍ଚ ସମ୍ପର୍ଣ୍ଣ ବିଦ୍ୟୁତ ଯୋଗାଣ ମଧ୍ୟ ବନ୍ଦ ରଖିବାକୁ ବିଦ୍ୟୁତ୍ ବିଭାଗକୁ ସୂଚନା ଦେଇଛି ।
ଅନ୍ୟପକ୍ଷରେ ଗାଁରେ ହାତୀପଲଙ୍କ ଆତଙ୍କ ଦେଖା ଦେଇଥିବା ବେଳେ ଗାଁ ଲୋକେ ଭୟରେ ଘରୁ ବାହାରୁ ନାହାଁନ୍ତି । ଏପରିକି କୌଣସି ଜରୁରୀ କାମ ପଡ଼ିଲେ ଲୋକେ ହାତରେ ଠେଙ୍ଗା, ବାଡ଼ି ଧରି ବାହାରକୁ ଯାଉଛନ୍ତି । ଛୋଟ ଛୁଆ ମଧ୍ୟ ଘର ଭିତରେ ୨୪ ଘଣ୍ଟା ବନ୍ଦ ହୋଇ ରହୁଛନ୍ତି । ହାତୀର ଗର୍ଜନ ଶୁଣି ଭୟରେ ଥରୁଛନ୍ତି ଗ୍ରାମବାସୀ ।
ଏପରିକି କୌଣସି କାମ ପଡ଼ିଲେ ବାହାରକୁ ଯିବାକୁ ବି ଭୟ କରୁଛନ୍ତି ଲୋକେ । ଦିନ ସମୟରେ ବି ଘର ଆଗରେ ବୁଲିଛି ହାତୀ । ହାତୀ ବଲାଙ୍ଗୀର ସହର ଭିତରୁ ପ୍ରବେଶ ନେଇ ବନ ବିଭାଗ ବି ଚିନ୍ତାରେ ପଡ଼ିଛି । କିପରି ଲୋକଙ୍କୁ ସୁରକ୍ଷା ଦେବ ତାହାକୁ ନେଇ ଏବେ ବନ ବିଭାଗ ଚିନ୍ତାରେ । ଯେପରି କାହାର କୌଣସି କ୍ଷତି ନହେଉ ସେଥି ପ୍ରତି ସଜାଗ ରହିଛି ବନବିଭାଗ । ବାରମ୍ବାର ଡାକବାଜି ଯନ୍ତ୍ରରେ ସତର୍କ କରାଉଛି ଗ୍ରାମବାସୀଙ୍କୁ ।
କେହି ଘରୁ ନବାହାରିବା ପାଇଁ ଅନୁରୋଧ କରିଛି । ଅନ୍ୟପକ୍ଷରେ ହାତୀପଲକୁ ଗାଁରୁ ଘଉଡ଼ାଇବା ପାଇଁ ଚେଷ୍ଟା ଜାରି ରଖିଛି ବନବିଭାଗ। ଅନେକ ପ୍ରକାରର ବାଣ ଫୁଟାଇବା ସହ ନିଆଁ ଜଳାଇ ହାତୀକୁ ଡରାଉଛି । ହେଲେ ଜିଦଖୋର ହାତୀପଲ ଏହାକୁ ମଧ୍ୟ ଡରୁ ନାହାଁନ୍ତି । ଗାଁରେ ଏହି ହାତୀପଲଙ୍କ ପ୍ରବେଶକୁ ନେଇ ଗ୍ରାମବାସୀ ଭୟଭୀତ ଥିବା ବେଳେ ଆଖପାଖ ଗାଁ ଲୋକେ ମଧ୍ୟ ଏହାକୁ ନେଇ ଭୟଭୀତ ରହିଛନ୍ତି । ଯଦି ଏହି ହାତୀପଲ ପାଖ ଗାଁକୁ ପଳାଏ ତେବେ ପରିସ୍ଥିତି ଆହୁରି ଜଟିଳ ହୋଇପାରେ ବୋଲି ବନବିଭାଗ ଆଶଙ୍କା କରୁଛି ।
ଇଟିଭି ଭାରତ, ବଲାଙ୍ଗୀର