ବଲାଙ୍ଗୀର: ଜୀବନ ଜୀଇଁବାର ଇଚ୍ଛା କାହାର ବା ନଥାଏ । ଆଉ ଏହି ଜୀବନରେ ଗ୍ରହଣ ପାଲଟି ଯାଇଥାଏ କର୍କଟ ଭଳି ଦୁଃସାଧ୍ୟ ରୋଗ । ଅର୍ଥ ସଙ୍କଟ ଓ ଶାରୀରିକ ପୀଡାରେ ରୋଗୀ ଜଣଙ୍କ ବ୍ୟସ୍ତ ବିବ୍ରତ ହୋଇପଡିଥାଏ । ଏଥିରୁ ବିରକ୍ତ ହୋଇ ସେ ଶେଷରେ ମୃତ୍ୟୁ ଭଳି ରାସ୍ତାକୁ ବାଛି ନେଇଥାଏ । ସେହିପରି ଏକ ଦୁଃଖଦ ଘଟଣା ବଲାଙ୍ଗୀରର ଟିକରପଡାରେ ଘଟିଛି ।
ସୂଚନା ମୁତାବକ, ଜଣେ କର୍କଟ ପୀଡ଼ିତ ରୋଗୀ କଷ୍ଟ ସହ୍ୟ କରି ନ ପାରି ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି । ଟିକରପଡ଼ାରେ ପାନ ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଉଥିବା ପ୍ୟାରେଲାଲ ସାହୁ କିଛି ଦିନ ହେବ ଉପରୋକ୍ତ ରୋଗରେ ପୀଡିତ ଥିଲେ । ଯାହାର କଷ୍ଟ ସହି ନପାରି ସେ ଆଜି(ବୁଧବାର) ସକାଳୁ ତାଙ୍କ ଘର ସମ୍ମୁଖରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମରରେ ଚଢ଼ି ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ଏହି ଦୁଃଖଦ ଚିତ୍ର ଦେଖିଲେ ଯେ କେହିବି ଧୈର୍ଯ୍ୟହରା ହୋଇପଡିବ ।
ଏହି ଘଟଣାରେ ବଲାଙ୍ଗୀର ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ