ବଲାଙ୍ଗୀର: ପୁଣି ସାମ୍ନାକୁ ଆସିଲା ଜାଲ ସାର୍ଟିଫିକେଟ ଘଟଣା । ଜାଲ ସାର୍ଟିଫିକେଟରେ 35 ବର୍ଷ ସରକାରୀ ଚାକିରି । ପୋଲିସ ଦ୍ବାରା ହେଲେ ବନ୍ଧା ବିଆରସିଏସ (BRCs) । ବଲାଙ୍ଗୀର ଜିଲ୍ଲାରେ ଜାଲ ସାର୍ଟିଫିକେଟ ସିଣ୍ଡିକେଟ ବହୁ ବର୍ଷରୁ ଚାଲିଥିବାର ଅଭିଯୋଗ ହୋଇ ଆସୁଥିଲା । ଏପରିକି ଏଥିରେ ଅନେକ ଜାଲ ପ୍ରମାଣ ପତ୍ର ବଳରେ ସରକାରୀ ଚାକିରି ହାତେଇ ଥିବାର ମଧ୍ୟ ଅଭିଯୋଗ ହୋଇ ଆସୁଥିଲା । ତେବେ ଏହାରି ମଧ୍ୟରେ ପୁଣି ଜଣେ ସରକାରୀ ଅଧିକାରୀ ଏଥିରେ ଗିରଫ ହୋଇଛନ୍ତି ।
ଗିରଫ ସରକାରୀ ଅଧିକାରୀ ଜଣକ ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବ୍ଲକ ବିଆରସିଏସ ଭାବରେ କାର୍ଯ୍ୟରତ ଥିବା ଶ୍ୟାମ ସୁନ୍ଦର ପ୍ରଧାନ । ଯାହାଙ୍କ ନାଁରେ ଜାଲ ବିଇଡି ସାର୍ଟିଫିକେଟ ଦେଇ ଚାକିରି ହାତେଇଥିବାର ଅଭିଯୋଗ ଥିଲା । ତେବେ ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପୋଲିସ ପାଖରେ ଲିଖିତ ଅଭିଯୋଗ ପରେ ଆଜି ତାଙ୍କୁ ବଲାଙ୍ଗୀର ତୁଷୁରା ପୋଲିସ ଗିରଫ କରିଛି । ଗିରଫ ବିଆରସିଏସ ଜଣକ 28 ଜାନୁଆରୀ 1988 ମସିହାରେ ଜାଲ ବିଇଡି ସାର୍ଟିଫିକେଟ ଦେଇ ଚାକିରି ହାତେଇଥିଲେ। । ପ୍ରଥମେ ସେ ତୁଷୁରା ହରିଜନ ପଡ଼ା ସରକାରି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବରେ ଚାକିରି ଆରମ୍ଭ କରିଥିଲେ । କିଛି ବର୍ଷ ହେବ ତାଙ୍କର ପଦୋନ୍ନତି ହୋଇ ସେ ଗୁଡଭେଲା ବିଆରସିଏସ ଭାବରେ କାର୍ଯ୍ୟ ତୁଲାଇ ଆସୁଥିଲେ ।
ଏହା ମଧ୍ୟ ପଢ଼ନ୍ତୁ........ବଲାଙ୍ଗୀର ଶିକ୍ଷା ବିଭାଗରେ କଳଙ୍କ: ଜାଲ ସାର୍ଟିଫିକେଟ ଦେଇ ଚାକିରି କରୁଥିଲେ ABEO !
ତେବେ ବଲାଙ୍ଗୀରରେ ଜାଲ ସାର୍ଟିଫିକେଟ ସିଣ୍ଡିକେଟକୁ ନେଇ ଚର୍ଚ୍ଚା ଜୋର ଧରିବା ପରେ ବିଭିନ୍ନ ବିଭାଗ ସମସ୍ତଙ୍କର ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏଥିରେ ଶିକ୍ଷା ବିଭାଗରେ ଅନେକ ଶିକ୍ଷକ ଓ ଉପରିସ୍ଥ ଅଧିକାରୀ ଜାଲ ସାର୍ଟିଫିକେଟ ଚାକିରି କରୁଥିବାର ମଧ୍ୟ ଅଭିଯୋଗ ଆସିଥିଲା । ଯାହାର ତଦନ୍ତ ହୋଇଥିବା ବେଳେ ଏଥିରେ ପର୍ଯ୍ୟାୟ କ୍ରମେ ବିଭିନ୍ନ ଅଧିକାରୀଙ୍କ ଜାଲ ସାର୍ଟିଫିକେଟ ଥିବା ଜଣା ପଡିଥିଲା । ଏଥିରେ ସମାନ ଭାବରେ ଗୁଡଭେଲା ବ୍ଲକ ବିଆରସିଏସ ଶ୍ୟାମ ସୁନ୍ଦର ପ୍ରଧାନ ମଧ୍ୟ ଜାଲ ବିଇଡି ସାର୍ଟିଫିକେଟ ଦେଇ ଚାକିରି କରୁଥିବାର ଜଣାପଡ଼ିଥିଲା । ଏହାପରେ ଜିଲ୍ଲା ଶିକ୍ଷା ଅଧିକାରୀ ତାଙ୍କ ନାଁରେ ତୁଷୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ତାଙ୍କୁ ଆଜି ଗିରଫ କରାଯାଇଛି । ଶ୍ୟାମ ସୁନ୍ଦର ବଲାଙ୍ଗୀର ଜିଲ୍ଲା ବଙ୍ଗୋଡ ମୁଣ୍ଡାର ନିବାସୀ ବୋଲି ଜଣାପଡିଛି । ତେବେ ପୂର୍ବରୁ ଏହି ଭଳି ଜଣେ ବିଇଓ ମଧ୍ୟ ଜାଲ ସାର୍ଟିଫିକେଟ ପାଇଁ ଗିରଫ ହୋଇ ଜେଲ ଯାଇଛନ୍ତି । ଏବେ ପୁଣି ଜଣେ ବିଆରସିଏସ ଚାକିରିର 35 ବର୍ଷ ପରେ ଗିରଫ ହେବା ଚର୍ଚ୍ଚାର ବିଷୟ ପାଲଟିଛି ।
ଇଟିଭି ଭାରତ, ବଲାଙ୍ଗୀର