ବଲାଙ୍ଗୀର : ବଲାଙ୍ଗୀରର ଜଣେ ଟାଣୁଆ ଓ ଲୋକପ୍ରିୟ ବିଜେପି ନେତା ତଥା ପୂର୍ବତନ ବିଜେପି ଜିଲ୍ଲା ସଭାପତି ଭକ୍ତ ବନ୍ଧୁ ନାଏକଙ୍କ ଆଜି ଅକାଳ ବିୟୋଗ ହୋଇଛି । ତେବେ ଗତ ପଞ୍ଚାୟତ ନିର୍ବାଚନପରେ ସେ ବ୍ରେନ୍ ଷ୍ଟ୍ରୋକରେ ପୀଡ଼ିତ ହୋଇ ପ୍ରଥମେ ପାଟଣାଗଡ଼ ଓ ପରେ ବରଗଡ଼ ବିକାଶ ଡାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ ହୋଇଥିଲେ । ସେଠାରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟପନ୍ନ ହେବାରୁ ପରବର୍ତ୍ତୀ ସମୟରେ ତାଙ୍କୁ କଟକ ମେଡିକାଲ୍ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଛି।
ଭକ୍ତ ବନ୍ଧୁ ନାଏକ ବଲାଙ୍ଗୀର ବିଜେପିର ଚର୍ଚ୍ଚିତ ନେତା ଥିବା ବେଳେ ବିଜେପି ଜିଲ୍ଲା ସଭାପତି ଭାବରେ କାର୍ଯ୍ୟ ତୁଲାଇଥିଲେ। ସେହିପରି ପାଟଣାଗଡ଼ ବ୍ଲକର ସେ ଦୁଇ ଥର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇ ଲୋକଙ୍କ ପାଖରେ ବେଶ୍ ପରିଚିତ ଥିଲେ। ଆଜି ତାଙ୍କ ପାର୍ଥିବ ଶରୀର ତାଙ୍କ ପୈତୃକ ଗାଁ ଉଲବାରେ ପହଞ୍ଚିଥିଲା। ଯାହା ପ୍ରବଳ ଜନସମାଗମ ଓ ଶୋକାକୁଳ ପରିବେଶରେ ତାଙ୍କର ଅନ୍ତେଷ୍ଟିକ୍ରିୟା ସମ୍ପର୍ଣ୍ଣ ହୋଇଛି। ସେପଟେ ତାଙ୍କର ଏହି ଅକାଳ ବିୟୋଗରେ ରାଜ୍ୟ ବିଜେପି, ବଲାଙ୍ଗୀର ସାଂସଦ ସଂଗୀତା ସିଂହ ଦେଓ, ବିଜେପି ନେତା କେଭି ସିଂହଦେଓ, ଲୋଇସିଂହା ବିଧାୟକ ମୁକେଶ ମହାଳିଂ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ