ବଲାଙ୍ଗୀର: ଜିଲ୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ସଦରଙ୍କ କାର୍ଯ୍ୟାଳୟର କୋଟି କୋଟି ଟଙ୍କାର ମହାକେଳେଙ୍କାରୀ ଅଭିଯୋଗ ହୋଇଥିଲା । ଯାହାର ଭିଜିଲାନ୍ସ ବିଭାଗ ତଦନ୍ତ କରୁଥିଲା । ଆଜି ଏଥିରେ ଏହାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଏହି କାର୍ଯ୍ୟାଳୟର ନିଲମ୍ବିତ କନିଷ୍ଠ କିରାଣୀ ପ୍ରମୋଦ ରଥକୁ ଭିଜିଲାନ୍ସ ବିଭାଗ ଦ୍ବାରା ଗିରଫ କରାଯାଇଛି । ତେବେ ଏହି କିରାଣୀ ଜଣକ ବିଇଓଙ୍କ ସହିତ ମିଶି ନିଜ ବାପା, ସ୍ତ୍ରୀ ଓ ସମ୍ପର୍କୀୟଙ୍କ ନାଁରେ ଜାଲ୍ କାଗଜ ପତ୍ର ତିଆରି କରି କୋଟି କୋଟି ଟଙ୍କା ହଡପ କରିଥିବା ନେଇ ବଲାଙ୍ଗୀର ଭିଜିଲାନ୍ସ ବିଭାଗ ତଦନ୍ତ କରୁଥିଲା ।
ତେବେ ଗତ ରାତିରେ ତାର ହାତିସାଲପଡା ଘରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଥିଲା । ଘରୁ 6ଟି ଦାମୀ ମୋଟର ସାଇକଲ, ଆଠ ଲକ୍ଷ ନଗଦ ଟଙ୍କା ଓ ସୁନା ଗହଣା ଭିଜିଲାନ୍ସ ବିଭାଗ ଜବତ କରିଛି । ତେବେ ଘନ ଘନ ଜେରା ପରେ ଆଜି ସମ୍ପୃକ୍ତ କିରାଣୀକୁ ଗିରଫ କରିଛି । ଅନ୍ୟପଟେ ଏହାର ଆଉ ଜଣେ ମୁଖ୍ୟ ଅଭିଯୁକ୍ତ ତଥା ବ୍ଲକ ଶିକ୍ଷା ଅଧିକାରୀ ରିଚ ପାଳ ସାଗର ଫେରାର ଥିବା ଜଣାପଡିଛି ।
ତେବେ ଗତ 2018-19 ବର୍ଷରେ ଏହି କାର୍ଯ୍ୟାଳୟରେ ମିଛ ଲୋକଙ୍କ ନାଁରେ କୋଟି କୋଟି ଟଙ୍କା ହଡପ ହୋଇଥିବାର ଜଣାପଡିଥିଲା । ଭିଜିଲାନ୍ସ ଏହାର ତଦନ୍ତ ଆରମ୍ଭ କରିଥିବାବେଳେ ଏ ଯାଏଁ 1 କୋଟି 71 ଲକ୍ଷ ଟଙ୍କା ହଡ଼ପ ହୋଇଥିବାର ସ୍ପଷ୍ଟ ପ୍ରମାଣ ଭିଜିଲାନ୍ସ ପାଇଛି । ତେବେ ସମ୍ପୃକ୍ତ କିରାଣୀ ଜଣକ ନିଜ ବାପା, ସ୍ତ୍ରୀ ଓ ଅନ୍ୟାନ୍ୟ ସମ୍ପର୍କୀୟ ନାଁରେ ଶିକ୍ଷକତାର ଜାଲ୍ କାଗଜ ପତ୍ର ତିଆରି କରି ତାଙ୍କ ନାଁରେ ପେନସନ ଇତ୍ୟାଦି କରି କୋଟି କୋଟି ଟଙ୍କା ହଡପ କରିଛି । ଯେଉଁଥିରେ ଏଠିକାର ପୂର୍ବତନ ବ୍ଲକ ଶିକ୍ଷା ଅଧିକାରୀ ମଧ୍ୟ ସାମିଲ ଥିବାର ଜଣାପଡ଼ିଛି ।
ଏହି ଘଟଣାର ଅଭିଯୋଗ ଆସିବା ପରେ ସରକାର ସମ୍ପୃକ୍ତ କିରାଣୀ ଓ ବିଇଓଙ୍କୁ ଚାକିରୀରୁ ନିଲମ୍ବିତ କରିଥିଲେ । ଏହାର ଭିଜିଲାନ୍ସ ତଦନ୍ତ ଜାରି ରହିଥିବାବେଳେ ମଙ୍ଗଳବାର ମୁଖ୍ୟ ଅଭିଯୁକ୍ତ ପ୍ରମୋଦ ରଥଙ୍କୁ ଭିଜିଲାନ୍ସ ଗିରଫ କରିଛି । ସେପଟେ ଏସବୁ ଅଭିଯୋଗକୁ ସମ୍ପୃକ୍ତ କିରାଣୀ ଅସ୍ବୀକାର କରିଥିବାବେଳେ ଟଙ୍କା ନେଣଦେଣ ଭଳି କୌଣସି କାମ ତାର ନଥିଲା ବୋଲି ସେ କହିଛନ୍ତି । ଏହା ମହା କେଳେଙ୍କାରୀର ଆଉ ଜଣେ ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ଥିବାବେଳେ ତାକୁ ଗିରଫ କଲେ ଏହାର ଆହୁରି ଗୁମର ଫିଟିବ ବୋଲି ସବୁଠି ଚର୍ଚ୍ଚା ହେଉଛି ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ